ବାଙ୍କୀ – ଇତିହାସ

 

 

 

 

 

 

 

 

 

ବାଙ୍କୀ ଇତିହାସ

ଶ୍ରୀ ନୀଳକଣ୍ଠ ରଥ ଶର୍ମା

 

ଉତ୍ସର୍ଗ

 

ବାଙ୍କୀ ରାଜବଂଶୋଦ୍ଭବ, ଉଦାରମନା

 

ଗୁଣଗ୍ରାହୀ

 

ଶ୍ରୀଯୁକ୍ତ ସାମନ୍ତ ବିଶ୍ଵନାଥ ଶ୍ରୀଚନ୍ଦନ ମହାପାତ୍ର B. A. ଙ୍କ

ମହୋଦାର ଗୁଣିଗ୍ରାହକତାର

ନିଦର୍ଶନ ସ୍ୱରୂପ

ଉତ୍ସୃଷ୍ଟ

 

ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର

ଭବଦୀୟ କୃପାପ୍ରାର୍ଥୀ

ପଦ୍ମନାଭପୁର ଶାସନ, ବାଙ୍କୀ

ରଚୟିତା

•••

 

ପଦେ ଅଧେ

 

ଓଡ଼ିଶାର ଛୋଟ ଛୋଟ ଗଡ଼ଜାତମାନଙ୍କର ଇତିହାସ ଲେଖିବାଲାଗି ଏ ପର୍ଯ୍ୟନ୍ତ କୌଣସି ଚେଷ୍ଟା କରାଯାଇ ନାହିଁ । ଏତଦ୍ଦ୍ୱାରା ଦେଶର ସାମାଜିକ ରାଜନୈତିକ ଓ ପ୍ରାଚୀନ ଶିଳ୍ପବିଦ୍ୟା ପ୍ରଭୃତି ଅନେକ ଜ୍ଞାତବ୍ୟ ବିଷୟ ଲୁପ୍ତରହି ଯାଉଅଛି । ସେ ସବୁର ଉଦ୍ଧାର ଓ ସାଧାରଣରେ ପ୍ରଚାର କରିବା ନିମିତ୍ତ ସର୍ବାଗ୍ରେ ଯତ୍ନ କରିବା ବାଞ୍ଛାନୀୟ ।

 

ମୁଁ ଆଜି ଯେ “ବାଙ୍କୀ ଇତିହାସ’’ ଲେଖିପାରିଛି, ଏଥିରେ ମୋର କୌଣସି କୃତିତ୍ୱ ନାହିଁ, ବରଂ ଭ୍ରମପ୍ରମାଦପୂର୍ଣ୍ଣ ହୋଇଥିବ ବୋଲି ମୋର ଆଶଙ୍କା ହେଉଛି; କାରଣ ମୁଁ ଐତିହାସିକ କିମ୍ବା ପ୍ରତ୍ନତତ୍ତ୍ଵ−ଅନୁସନ୍ଧିତ୍ସୁ ନୁହେ । କେବଳ ମୋର ୰ଜ୍ୟେଷ୍ଠପିତୃ, ପିତା ଓ ଭ୍ରାତାଙ୍କ ସଂଗୃହୀତ କେତେକ ବିଷୟ, ଆଜିକାଲିର ବୁଢ଼ାବୁଢ଼ାମାନଙ୍କଠାରୁ ଶୁଣିବା ଗଳ୍ପ, ପ୍ରବାଦ, କିମ୍ବଦନ୍ତୀ ପ୍ରଭୃତି ଏ ରଚନାର ଭିତ୍ତି ।

 

ଭବିଷ୍ୟତରେ କୌଣସି ଐତିହାସିକ ଏ ସମ୍ବନ୍ଧରେ ନୂତନ ତଥ୍ୟମାନ ଆବିଷ୍କାର କରି ଜଣାଇଲେ କିମ୍ବା ଏହି ସଂସ୍କରଣରେ କୌଣସି ଭ୍ରମ ପ୍ରମାଦ ଦେଖାଇଦେଲେ, ପରେ ସେ ସବୁ ସଂଶୋଧନ କରିବାଲାଗି ଯତ୍ନ କରିବି ।

 

ବାଙ୍କୀ ଇୟୁନିୟନ ବୋର୍ଡ଼ର ପ୍ରେସିଡେଣ୍ଟ ରାୟସାହେବ ଖଗେନ୍ଦ୍ରଚନ୍ଦ୍ର ମହାପାତ୍ର ବି. ଏ., ସୋଦରପ୍ରତିମ ବନ୍ଧୁ ଶ୍ରୀଯୁକ୍ତ ଗୌରମୋହନ ପାଢ଼ୀ, ବାଙ୍କୀ ସରସ୍ଵତୀ ଷ୍ଟୋର ମାନେଜର ଶ୍ରୀମାନ୍ ଗୋଲକବିହାରୀ ମିଶ୍ର ଏ ପୁସ୍ତକ ପ୍ରଣୟନ ଓ ମୁଦ୍ରଣରେ ବିଶେଷ ସାହାଯ୍ୟ କରିଅଛନ୍ତି ; ତେଣୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଅଛି। ଇତି ।

 

ରଘୁନାଥଦେବଙ୍କ ମନ୍ଦିର, ବାଙ୍କୀ

ବିନୀତ

ତା୪ । ୮ । ୩୪

ରଚୟିତା

•••

 

ସୂଚୀପତ୍ର

 

ପ୍ରଥମ ଅଧ୍ୟାୟ

ସଂକ୍ଷିପ୍ତ ଭୂଗୋଳ ବିବରଣ

ଦ୍ଵିତୀୟ ଅଧ୍ୟାୟ

ପ୍ରାଚୀନ ବାଙ୍କୀ ଓ ଧଳବଂଶୀୟ ରାଜାଗଣ

ତୃତୀୟ ଅଧ୍ୟାୟ

ଶ୍ରୀଚନ୍ଦନବଂଶୀୟ ରାଜାଗଣ

ଚତୁର୍ଥ ଅଧ୍ୟାୟ

ସରଣ୍ଡା ଓ ଡମ୍ପଡ଼ାର ରାଜବଂଶାବଳୀ

ପଞ୍ଚମ ଅଧ୍ୟାୟ

ବାଙ୍କୀ ସ୍ଵାଧୀନତା ଲୋପ ଓ ଇଂରେଜ ସରକାର ପରିଶିଷ୍ଟ

•••

 

ପ୍ରଥମଅଧ୍ୟାୟ

(ସଂକ୍ଷିପ୍ତ ଭୂଗୋଳ ବିବରଣୀ)

 

୧. ସୀମା ଓ ଅବସ୍ଥାନ–

 

ଏକ ସମୟରେ ବାଙ୍କୀର ସୀମା ଖଣ୍ଡପଡ଼ା ନୀଳମାଧବଙ୍କଠାରୁ ଆଠଗଡ଼ ଦୋସୀମାଳୀ ଅମଙ୍ଗେଇ କୁଦ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଆଜିକାଲି ମଧ୍ୟ ଏ ବିଷୟରେ ପ୍ରବାଦ ଅଛି ଯେ, ବାଙ୍କୀରାଜା ଅମେଇଁଠାରୁ କମେଇଁ ପର୍ଯ୍ୟନ୍ତ ରାଜ୍ୟ ଭୋଗ ଦଖଲ କରୁଥିଲେ । ପୂର୍ବ ସୀମାରେ ଅମଙ୍ଗେଇ (ଅମେଇଁ) ଠାକୁରାଣୀ ମହାନଦୀ ମଧ୍ୟରେ କନ୍ଦରପୁର ପାହାଡ଼ ତଳେ ଅଛନ୍ତି । ଏଠାର ପାଇକମାନେ ଥରେ ଯୁଦ୍ଧ କରିବାକୁ ଅନିଚ୍ଛୁକ ହେବାରୁ ରାଜା ସେଠାରେ ଉକ୍ତ ଠାକୁରାଣୀଙ୍କୁ ବସାଇ ଗଡ଼କୁ ଫେରି ଆସିଥିଲେ । ପଶ୍ଚିମରେ କମେଇଁ ନଦୀ ଖଣ୍ଡପଡ଼ାରେ ପ୍ରବାହିତ ।

 

ଅଧୁନା କାଳିଗିରି ନଦୀ ବାଙ୍କୀର ପଶ୍ଚିମ ସୀମା । ଏ ନଦୀ ବୈଦ୍ୟେଶ୍ଵର ନିକଟରେ ପ୍ରବାହିତ । ବାଙ୍କୀର ଉତ୍ତର ସୀମା ତିଗିରିଆର ବାଉଁଶପୁଟ ଓ ଦକ୍ଷିଣ ସୀମା ଖୋର୍ଦ୍ଧାର ପଙ୍ଗାରସିଂହ ଗଡ଼ । କେଉଁ ରାଜାଙ୍କ ରାଜତ୍ୱ କାଳରେ କମାଇଁ ମୁହଁଠାରୁ କାଳିଗିରି ନଦୀ ମଧ୍ୟସ୍ଥ ସୀମା ବିଚ୍ଛିନ୍ନ ହୋଇ ଖଣ୍ଡପଡ଼ା ନୀଳମାଧବଙ୍କ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା, ତା’ର ବିବରଣ ଜଣା ନାହିଁ । ବାଙ୍କୀର ସରଣ୍ଡା ଛଅ କୋଶ ମଧ୍ୟରୁ ଆଠଗଡ଼ ରାଜା ସାତଗଡ଼ ନେଇ ଭୋଗ କରୁଅଛନ୍ତି । ଏପରି କି ଆଠଗଡ଼ ଲୋକେ କହନ୍ତି−କନ୍ତୋଲ ଗ୍ରାମସ୍ଥ ଦକ୍ଷିଣ ଚଣ୍ଡୀଙ୍କ ପଶ୍ଚିମ ପାବଚ୍ଛ ପର୍ଯ୍ୟନ୍ତ ବାଙ୍କୀର ସୀମା ଥିଲା । ପୁଣି କିମ୍ବଦନ୍ତୀରୁ ଜଣାଯାଏ ଯେ, ଆଠଗଡ଼ର କୌଣସି ରାଜା ଲକ୍ଷ୍ମୀ ପ୍ରସାଦ ଗଡ଼ କନ୍ୟାକୁ ଯୌତୁକ ସ୍ୱରୂପ ଦାନ କରିଥିବାରୁ, ଉପରୋକ୍ତ ଠାକୁରାଣୀ ବାଙ୍କୀ ରାଜାଙ୍କ ସହିତ ଯୁଦ୍ଧ କରି ବାଙ୍କୀର କେତେକାଂଶ ଆଠଗଡ଼ ରାଜାଙ୍କୁ ଦେଇଥିଲେ । ପରିଶେଷରେ ସୀମା ନିର୍ଦ୍ଧାରଣର ପ୍ରଧାନ ପୋଷକ ସ୍ୱରୂପ ଗଜପତିଙ୍କ ଶ୍ରୀଛାମୁରୁ ବ୍ରଜବିହାରୀ ଶ୍ରୀଚନ୍ଦନ ମହାପାତ୍ରଙ୍କୁ ଯେ ସନନ୍ଦ (୧୮୮୦ ମସିହାରେ ସଂଗୃହୀତ “ବାଙ୍କୀ ରାଜ୍ୟ ବର୍ଣ୍ଣନା’’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ) ମିଳିଥିଲା, ତାହା ନିମ୍ନରେ ଦିଆଗଲା–

 

ମହାରାଜଙ୍କ ଶ୍ରୀଛାମୁରୁ ବ୍ରଜବିହାରୀ ସିଂହଙ୍କୁ ଚିଟାଉ

 

ତୁମ୍ଭଙ୍କୁ ଯେ ଅନୁଗ୍ରହ କରି ଶ୍ରୀଚନ୍ଦନ ମହାପାତ୍ର ପଦ, ବାଙ୍କୀ ଜମିଦାର ଶାଢ଼ି, ଶୁକ ଛତି ଓ କଳା ଛତି, ଯାଉଁଳି ଘୋଡ଼ା, ସମଞ୍ଚା ଶିରୋପା ମଧ୍ୟ ଖଟଣୀ ପିଣ୍ଡିକ ହରିଚନ୍ଦନଙ୍କ ମାରଫତେ ଆଜ୍ଞା ଦେଲୁ । ଏ ବାଙ୍କୀ ପୃଥିବୀ କମାଇଁ ମୁହଁଠାରୁ ଅମାଇଁ ମୁହଁଯାଏ ଅମଳ କରି ମହାଶ୍ରମ ସେବାରେ ହାଜରଥିବ । ମରାତ୍ ବାପ ପରମ୍ପରା ମାଫିକେ କରିବ । ଆଉ ବିଷୟ ଏହାଙ୍କଠାରୁ ଜାଣିମ ।

“ଅ ୧୯ ଙ୍କ ମିଥୁନ ଦି ୨୨ ନ’’

 

୨. କ୍ଷେତ୍ରଫଳ, ଲୋକସଂଖ୍ୟା ଓ ଆୟ–

 

ପୂର୍ବେ ବାଙ୍କୀ ତିନି ଭାଗରେ ବିଭକ୍ତ ଥିଲା :− ବାଙ୍କୀ, ସରଣ୍ଡା, ଡମ୍ପଡ଼ା । ଅଧୁନା ବାଙ୍କୀ ଓ ସରଣ୍ଡା ଏକତ୍ର ମିଶ୍ରିତ ହୋଇ ଏବଂ ଡମ୍ପଡ଼ା ମଧ୍ୟ ବିଚାର ବିଭାଗରେ ବାଙ୍କୀର ଅନ୍ତର୍ଭୁକ୍ତ ଥାଇ ବାଙ୍କୀ ନାମରେ ଅଭିହିତ ହେଉଅଛି । ବାଙ୍କୀ ଡମ୍ଫଡ଼ାର କ୍ଷେତ୍ରଫଳ ପ୍ରାୟ ୧୯୮ ବର୍ଗ ମାଇଲ; ଗତ ଜନ−ସୁମାରୀରେ ଲୋକସଂଖ୍ୟା ୮୪୪୦୬ ଓ ସରକାରଙ୍କ ଆୟ ଟ. ୫୧୪୦୦ ଙ୍କା ।

୩. ପ୍ରଧାନ ପ୍ରଧାନ ଗ୍ରାମ–

ବାଙ୍କୀରେ ଛୋଟ ବଡ଼ ହୋଇ ୧୪୪ଟି ମଉଜା ଅଛି । ନିମ୍ନରେ କେତୋଟି ପ୍ରସିଦ୍ଧ ଗ୍ରାମର ନାମ ଓ ବିବରଣ ଦିଆଗଲା ।

କଳାପଥର, ବ୍ରହ୍ମପୁରା, ରଗଡ଼ୀ, ତୁଳସୀପୁର, ପାଟପୁର, ବୈଦ୍ୟେଶ୍ଵର, ସୁବର୍ଣ୍ଣପୁର, ଘୋଡ଼ାବର, ଘୋଳପୁର, ରତାଗଡ଼ ଓ ମାଳବିହାରପୁର।

କଳାପଥର–

 

ବାଙ୍କୀର ପଶ୍ଚିମ ଭାଗରେ କଳାପଥର ଗ୍ରାମ ଅବସ୍ଥିତ । ଏଠାରେ ପ୍ରତି ସୋମବାର ଓ ଗୁରୁବାର ଦିନ ହାଟ ବସେ । ଖୋରଧା, ରଣପୁର, ନୟାଗଡ଼ ଓ ଖଣ୍ଡପଡ଼ା ପ୍ରଭୃତିରୁ ବହୁତ ଲୋକ ଏ ହାଟରେ ଜମା ହୁଅନ୍ତି । କଳାପଥରର ଜଳବାୟୁ ସ୍ୱାସ୍ଥ୍ୟପ୍ରଦ ଓ ସୁଖକର । ଏ ଗ୍ରାମର କାରିଗରି ଅତି ସୁନ୍ଦର । ଏଠାରେ ହନୁମନ୍ତିଆ ଗୁଆକାଠି ପୂର୍ବ ସମୟରେ କଲିକତା ବଜାରରେ ବିକ୍ରୟ ହେଉଥିଲା । ବର୍ତ୍ତମାନ ଏକ ରକମ ଏ କାରିଗର ବଂଶ ଲୋପ ପାଇଲାଣି । ଏଠା ପୁଷ୍କରିଣୀର ମାଛଗୁଡ଼ିକ ବଡ଼ ମିଷ୍ଟ ।

ବ୍ରହ୍ମପୁରା–

ଏ ଗ୍ରାମରେ ବ୍ରହ୍ମଜାତି ବହୁ ପରିମାଣରେ ବାସ କରନ୍ତି । ଏମାନେ ବୌଦ୍ଧ । ବ୍ରହ୍ମଜାତି ବହୁଳ ହୋଇଥିବାରୁ ଏ ଗ୍ରାମର ନାମ ବ୍ରହ୍ମପୁରା ହୋଇଅଛି । ଏ ଜାତି ବଡ଼ ଧନୀ ଓ ବାଣିଜ୍ୟ-କୁଶଳ । ଏଠାରେ ମଧ୍ୟ ତନ୍ତୀ ଅଛନ୍ତି । ଏମାନେ ବଡ଼ ସୁନ୍ଦର ଲୁଗା ବୁଣନ୍ତି । ସେମାନଙ୍କ ଖାଦ୍ୟ ଓ ଗାମୁଛା ଲାଗି ଏ ଗ୍ରାମ ପ୍ରସିଦ୍ଧ ।

ରଗଡ଼ୀ–

ପ୍ରାଚୀନ ରାଜାମାନଙ୍କର ଏ ଗ୍ରାମ ଉପରେ ଅଧିକାଂଶ ସମୟରେ ରଗଡ଼ ଅଥବା ତୀବ୍ର ଦୃଷ୍ଟି ପଡ଼ୁଥିବାରୁ ଏ ଗ୍ରାମର ନାମ ରଗଡ଼ୀ ହୋଇଅଛି । ପୀତାମ୍ବର ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ପୀତାମ୍ବରପୁର ଶାସନ ଏ ମୌଜାର ଅନ୍ତର୍ଗତ । ଏ ଗ୍ରାମରେ ଅନ୍ୟ ପାଟକର ଅନେକ ଲୋକ ମଧ୍ୟ ବାସ କରନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ସରାକ । ଏମାନେ ଭଲ ଶାଢ଼ି ବୁଣନ୍ତି । ଏହାକୁ ସରାକ ଶାଢ଼ି ବୋଲାଯାଏ । ଏ ଶାଢ଼ିଗୁଡ଼ିକ ଏପରି ସୁନ୍ଦର ଓ ମୁଲ୍ୟବାନ୍‍ ଯେ, ତାହା ଓଡ଼ିଶା ବାହାରେ ମଧ୍ୟ ଆଦୃତ ହୋଇଥାଏ । ସରାକୀ ଫେଟା ଓ ମାଣିଆବନ୍ଧୀ ଯଥା ମଧ୍ୟ ଏଠାରେ ମିଳେ-। ସରାକମାନେ ବୌଦ୍ଧ । ପ୍ରସିଦ୍ଧ ଠାକୁର ମହିମାମଣିଙ୍କ ମନ୍ଦିର ଏହି ଗ୍ରାମରେ ବିଦ୍ୟମାନ ।

ତୁଳସୀପୁର–

ବାଙ୍କୀ ରାଜବଂଶର ତୁଳସୀ ଦେଈ ନାମ୍ନୀ ରାଣୀଙ୍କ ନାମାନୁସାରେ ଏ ଗ୍ରାମର ନାମ ତୁଳସୀପୁର ହୋଇଅଛି । ମାତ୍ର ରାଜବଂଶାବଳୀ ମଧ୍ୟରୁ ଏପରି କୌଣସି ରାଣୀଙ୍କ ନାମ ମିଳେ ନାହିଁ । ଅନେକେ କହନ୍ତି, ଯେତେବେଳେ ଖୋରଧାରେ ଭୋଇ ବଂଶୀୟ ରାଜାମାନେ ରାଜପଣ କରୁଥିଲେ, ସେତେବେଳେ ସେହି ବଂଶୀୟ ଜଣେ ରାଣୀ ଏହି ଗ୍ରାମ ବସାଇଥିଲେ । ସେହେତୁ ବୋଧହୁଏ ଏ ଗ୍ରାମ ଅଧେ ବାଙ୍କୀ ଓ ଅଧେ ଖୋର୍ଦ୍ଧାରେ ଅବସ୍ଥିତ । ଏ ଗ୍ରାମରେ ଅନେକ ରଙ୍ଗଣୀ ଓ ତେଲୀ ମହାଜନ ଅଛନ୍ତି । ଅତି ସୁନ୍ଦର ମୁଗେଇ ଓ ପଖାଳ ଖଦୀ ଏଠାରେ ମିଳେ ।

ପାଟପୁର–

ଏହାର ଚତୁର୍ଦ୍ଦିଗରେ ପାଟ ଥିବାରୁ ବୋଧହୁଏ ଗ୍ରାମର ନାମ ପାଟପୁର ହୋଇଅଛି । ପଦ୍ମନାଭ ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ପଦ୍ମନାଭପୁର ଶାସନ ଏ ମୌଜାର ଅନ୍ତର୍ଗତ । ଏହାର ଲୋକସଂଖ୍ୟା ପ୍ରାୟ ପାଞ୍ଚ ହଜାର ହେବ । ଏ ଗ୍ରାମରେ ବିଭିନ୍ନ ଜାତିର ଲୋକ ବାସ କରନ୍ତି । ସୁପ୍ରସିଦ୍ଧ ସିଂହନାଥଦେବଙ୍କ ମନ୍ଦିର ଏଇ ଗ୍ରାମରେ । ଏଠାରେ ଶିବ ଚତୁର୍ଦ୍ଦଶୀ ଦିନ ଜାଗର ଯାତ୍ରା ହୁଏ । ଏହା ବ୍ୟତୀତ ଶୀତଳ ଷଷ୍ଠୀ ଓ ଦୋଳ ପୂର୍ଣ୍ଣିମା ମଧ୍ୟ ହୋଇଥାଏ । ଏ ଠାକୁରଙ୍କର ଆଠ ବାଟୀ ଜମି ଖଞ୍ଜା ଅଛି । ମହାନଦୀର ଶାଖା ଢୁଢ଼ୁଆ ଏ ଗ୍ରାମର ପୂର୍ବ ଦିଗରେ ବହି ଯାଉଅଛି । ଏହାର ତୀରବର୍ତ୍ତୀ ଭୂମିକୁ “ପଟୁମାଳ” କହନ୍ତି । ଏହି ପଟୁରେ ଧୂଆଁପତ୍ର ଓ ପ୍ରଚୁର ପରିମାଣରେ ଢୁଢ଼ୁଆ ବାଇଗଣ ହୁଏ । ଏ ବାଇଗଣର ସର୍ବତ୍ର ଆଦର । ଏହା ବିଷୟରେ ଲୋକେ କହନ୍ତି–

 

“ରଣ ବଣ ଛଣ−ଏଥି ଡମ୍ପଡ଼ା ରାଜାଙ୍କ ପଣ

ବାଙ୍କୀ ଶ୍ରୀଚନ୍ଦନ ଥାଇ ବୋଇଲେ ମୋ ଢୁଢ଼ୁଆ ବାଇଗଣ ।’’

 

ଗ୍ରାମର ଚତୁର୍ଦ୍ଦିଗରେ ପାଟ ଥିବାରୁ ଏଠାରେ ମାଛ ପ୍ରଚୁର ପରିମାଣରେ ମିଳେ । ଦାଳୁଅ ଫସଲ ମଧ୍ୟ ହୁଏ ।

ବୈଦ୍ୟେଶ୍ଵର–

ଏହା ମହାନଦୀର ଦକ୍ଷିଣ ତୀରସ୍ଥ ଗୋଟାଏ ବଡ଼ ଗ୍ରାମ । ଏ ଗ୍ରାମସ୍ଥ ମହାଜନମାନେ ସମ୍ବଲପୁର, ସରଗୁଜା, ରାୟପୁର ପ୍ରଭୃତି ସ୍ଥାନରେ ବ୍ୟବସାୟ ବାଣିଜ୍ୟ କରନ୍ତି । ଏ ଗ୍ରାମର ରଙ୍ଗଣିମାନେ ବଡ଼ ସୁନ୍ଦର ଲୁଗା ବୁଣି ପାରନ୍ତି । ରାମନାଥ ଓ ବୈଦ୍ୟନାଥଙ୍କ ମନ୍ଦିର ଏ ଗ୍ରାମରେ ଅବସ୍ଥିତ । ଏଠାରେ ପ୍ରଚୁର ପରିମାଣରେ ମୁଲ୍ୟବାନ କାଷ୍ଠ ବିକ୍ରୟ ହୁଏ । ଅଧିକାଂଶ ଖୋରଧାକୁ ପଠାଯାଇଥାଏ । ଏ ଗ୍ରାମରେ ଉତ୍କଳ-ବିଖ୍ୟାତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜନ୍ମ ହୋଇଥିଲେ । ବ୍ରଜବିହାରୀ ଶ୍ରୀଚନ୍ଦନଙ୍କ ପ୍ରତିଷ୍ଠିତ ବ୍ରଜବିହାରୀପୁର ଶାସନ ଏହି ମୌଜାରେ ଅବସ୍ଥିତ ।

ସୁବର୍ଣ୍ଣପୁର–

ଏଠାରେ ତୃତୀୟା ଦେବଙ୍କ ମନ୍ଦିର ପ୍ରଧାନ ଦେବାଳୟ । ଠାକୁରଙ୍କର ସାତବାଟୀ ଜମି ଖଞ୍ଜା ଅଛି । ଦୋଳ ଓ ଗୁଣ୍ଡିଚା ଉପଲକ୍ଷେ ଏଠାରେ ଯାତ୍ରା ହୁଏ । ସୁବର୍ଣ୍ଣେଶ୍ଵର ମହାଦେବଙ୍କ ମନ୍ଦିର ମଧ୍ୟ ଏଇ ଗ୍ରାମରେ ଅବସ୍ଥିତ । କେଶରୀ ବଂଶୀୟ ରାଜା ସୁବର୍ଣ୍ଣକେଶରୀ ଏଠାରେ ତାଙ୍କ ଅନ୍ତିମକାଳ ଯାପନ କରିଥିଲେ । ଏହି ଗ୍ରାମ ତାଙ୍କ ନାମାନୁସାରେ ସୁବର୍ଣ୍ଣପୁର ହୋଇଅଛି ବୋଲି ଅନେକ ପ୍ରମାଣ ମିଳେ । ଏଠାରେ ଗୋଟିଏ ମାଇନର ସ୍କୁଲ ଅଛି ।

ଘୋଳପୁର–

ଏ ଗ୍ରାମଟି ଅତି ବୃହତ୍ । ଏଠାରେ ଆଗେ ପ୍ରଚୁର ପରିମାଣରେ ଘୋଳ ଦହି ମିଳୁଥିଲା; ସେଥିଲାଗି ଏ ଗ୍ରାମର ନାମ ଘୋଳପୁର । ଏ ଗ୍ରାମରେ ପ୍ରତିଦିନ ଗୋଟିଏ ଛୋଟ ହାଟ ବସେ । ଏଠାରେ ବିଭିନ୍ନ ଜାତିର ଲୋକେ ବାସ କରନ୍ତି । ବଡ଼ ସୁନ୍ଦର ଛୋଟ ଛୋଟ କରିଆ ଏଠାର ତନ୍ତିମାନେ ବୁଣି ପାରନ୍ତି।

 

ଡମ୍ପଡ଼ାର ମୌଜା ସଂଖ୍ୟା ୩୨ । ତନ୍ମଧ୍ୟରେ ତାଳବସ୍ତ, ନିଜଗଡ଼, କୁସୁନ୍ଦା ଓ ପାଥପୁର ପ୍ରଧାନ ।

ତାଳବସ୍ତ–

ଏହା ଗୋଟିଏ ବଡ଼ ଗ୍ରାମ । ଏହାର ଗୃହସଂଖ୍ୟା ୬୦୦ ହେବ । ଏଥିରେ ନାନା ଜାତିର ଲୋକେ ବାସ କରନ୍ତି । କପିଳେଶ୍ଵର ଓ ଚୈତନ୍ୟଜୀଉଙ୍କ ମନ୍ଦିର ଏ ଗ୍ରାମରେ ଅବସ୍ଥିତ ।

ନିଜଗଡ଼–

ଡମ୍ପଡ଼ା ଗଡ଼ ଗୋଟିଏ ପାହାଡ଼ ଉପରେ ଅବସ୍ଥିତ । ଗଡ଼ର ପ୍ରାୟ ଦୁଇ କ୍ରୋଶ ଅନ୍ତରରେ “ମାଡ଼ିଆ ଦ୍ଵାର’’ ବୋଲି ଗୋଟିଏ ଜାଗା ଅଛି । ଏଠାରେ ପୁରାକାଳରେ ଗଡ଼ ଥିଲା । ବର୍ତ୍ତମାନ ଏଠାରେ ରାଶି ରାଶି ପ୍ରସ୍ତର ଜମା ହୋଇଅଛି । ରେଳବାଇ କମ୍ପାନୀ ସେଥିରୁ ଅନେକ ପଥର ନେଇଥିଲା । ଏହାର ଅଦୂରବର୍ତ୍ତୀ ପଥର ଚଟାଣକୁ “ଧାନଘର ଚଟାଣ” କହନ୍ତି । ପୂର୍ବେ ରାଜାମାନେ ଏଠାରେ ଧାନ ରଖି ପ୍ରଜାମାନଙ୍କୁ ବାଣ୍ଟୁଥିଲେ ।

 

କୁସୁନ୍ଦା–

 

ଏ ଗ୍ରାମରେ ଭକ୍ତକବି ତ୍ରିପୁରାରି ଦାସ ଜନ୍ମ ହୋଇଥିଲେ । ଏହାଙ୍କ ରଚିତ “ରାମକୃଷ୍ଣ କେଳି−କଲ୍ଲୋଳ’’ ବଡ଼ ମନୋହର ଗ୍ରନ୍ଥ ।

 

ପାଥପୁର–

 

ଏ ମୌଜା ନିକଟସ୍ଥ ପର୍ବତ ଉପରେ ଗୋଟିଏ ଗୁମ୍ଫା ରହିଅଛି । ଏହାକୁ ଲୋକେ “ପାଣ୍ଡବ ବଖରା “ କହନ୍ତି । ପାଣ୍ଡବମାନେ ବନବାସ ସମୟରେ ଏଠାରେ ଆସି ରହିଥିବାର କିମ୍ବଦନ୍ତୀ ଅଛି । ରଜସଂକ୍ରାନ୍ତି ଦିନ ଏଠାରେ ଗୋଟିଏ ମେଳା ହୁଏ । ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ବହୁତ ଲୋକ ଆସି ଜମା ହୁଅନ୍ତି ।

 

୪. ପ୍ରଧାନ ପ୍ରଧାନ ଗଡ଼−

 

ବାଙ୍କୀରେ ଛଅଟି ଗଡ଼ ଥିଲା । ଏ ସବୁ ଶତ୍ରୁପକ୍ଷେ ଦୁର୍ଭେଦ୍ୟ ଓ ଅଧିକାଂଶ ସମୟରେ ରାଜାଙ୍କର ଆଶ୍ରୟ ସ୍ଥଳ । ମଧୁଆ ପଲ୍ଲୀ, ନରଗାଙ୍ଗ, ଚଢ଼େଇବନ୍ଧ, ମାଳତୀ ମୁଣ୍ଡିଆ, ସରଣ୍ଡା ଓ ବାଉଁଶ ପୁଟ । ଏମାନଙ୍କ ମଧ୍ୟରେ ଶେଷୋକ୍ତ ତିନୋଟି ଉଲ୍ଲେଖଯୋଗ୍ୟ ।

 

ମାଳତୀମୁଣ୍ଡିଆ–

 

ଉପରୋକ୍ତ ଗଡ଼ମାନଙ୍କ ମଧ୍ୟରେ ମାଳତୀ ମୁଣ୍ଡିଆ ପ୍ରସିଦ୍ଧ ଓ ବାଙ୍କୀ ରାଜାଙ୍କର ଅଧିକାଂଶ ସମୟରେ ଆଶ୍ରୟ ସ୍ଥଳ ଥିଲା; କାରଣ ଏହାର ପୂର୍ବରେ ଗୋଧେଇ ନାମରେ ଗଭୀର ଜଳବିଶିଷ୍ଟ ନଦୀ, ପଶ୍ଚିମରେ ପର୍ବତ, ଉତ୍ତରରେ ମହାନଦୀ ଓ ଦକ୍ଷିଣରେ ଘୋର ଅରଣ୍ୟଭୂମି । ଦକ୍ଷିଣ ଭାଗରେ, ଗୋଟିଏ ଦୁର୍ଭେଦ୍ୟ ଦଣ୍ଡା ମନୁଷ୍ୟ ଯାତାୟାତ ଲାଗି ପ୍ରସ୍ତୁତ ହୋଇଥିଲା । ପୂର୍ବେ ଘନ ଘନ ଯୁଦ୍ଧ ହୋଇଥିବାରୁ ରାଜାମାନେ ଏପରି ସ୍ଥାନକୁ ନିରାପଦ ମଣି ବାସ କରୁଥିଲେ । ବାଙ୍କୀ ଗଡ଼ରେ “କମଳା ବାଗ” ବୋଲି ଗୋଟିଏ ସ୍ଥାନ ଅଛି । ଅଧୁନା ସେଠାରେ ଅନେକ କଟା ପଥର ଜମା ହୋଇଅଛି । ପ୍ରାଚୀନ ଗଡ଼ର ଭଗ୍ନାବଶେଷ ମଧ୍ୟ ଏଠାରେ ଦୃଷ୍ଟିଗୋଚର ହୁଏ ।

 

ସରଣ୍ଡା–

 

ଅଂଶୁପା ହ୍ରଦ ନିକଟସ୍ଥ ପର୍ବତ ଉପତ୍ୟକାରେ ସରଣ୍ଡା ଅବସ୍ଥିତ । ପୁରାତନ ଗଡ଼ର ଭଗ୍ନାବଶେଷ ପ୍ରସ୍ତରମାନ ଏଠାରେ ସ୍ତୂପାକାରରେ ରହିଅଛି । ପୂର୍ବେ ଏ ଗଡ଼ରେ କଂସାର କବାଟ ଥିଲା ବୋଲି ଲୋକେ କହନ୍ତି । ଆଜିକାଲି ମଧ୍ୟ କଉଡ଼ି ଖଣି, ବାରୁଦଖଣି ଓ ଦେଢ଼ଶୁର ଭାଇବୋହୂ କୂଅ ଏଠାରେ ଦେଖିବାକୁ ମିଳେ ।

 

ବାଉଁଶପୁଟ–

 

ଏହି ଗଡ଼ଠାରୁ ବାଙ୍କୀରାଜା କପିଳେଶ୍ଵର ମହାଦେବଙ୍କ ଦର୍ଶନକୁ ଯାନ୍ତି । ସାମୟିକ କଦନା ଗଡ଼ଠାରେ ବଡ଼ମ୍ବା ରାଜାଙ୍କ ସହିତ ଦେଖା ହୁଏ । ଉଭୟେ କୁମରଙ୍ଗିଆ ପାହାଡ଼ରେ ବୁଲି ଶିକାର କରନ୍ତି ।

 

୫. ପ୍ରଧାନ ପ୍ରଧାନ ହାଟ–

 

ଚର୍ଚ୍ଚିକା, ପାଟପୁର, ତୁଳସୀପୁର, କଳାପଥର ଓ ଘୋଳପୁର । ପାଟପୁର ହାଟ ବ୍ୟତୀତ ଅନ୍ୟ ହାଟଗୁଡ଼ିକ ବର୍ତ୍ତମାନ ବସିଅଛି ।

 

୬. ପ୍ରାକୃତିକ ଦୃଶ୍ୟ–

 

ବାଙ୍କୀରେ ପ୍ରାକୃତିକ ଶୋଭା ଅତୁଳନୀୟ । ବିଶେଷତଃ ଚର୍ଚ୍ଚିକା ଡାକ ବଙ୍ଗଳାଠାରେ ଠିଆ ହେଲେ ମହାନଦୀର ଅପୂର୍ବ ଶୋଭା, ବଡ଼ମ୍ବାର କୁମରଙ୍ଗିଆ ପାହାଡ଼ ଏବଂ ଢେଙ୍କାନାଳର ଅତ୍ୟୁଚ୍ଚ ସପ୍ତଶଯ୍ୟା ପର୍ବତ ଦର୍ଶକର ନୟନମନ ତୃପ୍ତ କରିଦିଏ । ଅନେକ ସାହେବ ଏ ବଙ୍ଗଳାକୁ ବଡ଼ ପସନ୍ଦ କରନ୍ତି ।

ବାଙ୍କୀର ବର୍ତ୍ତମାନ ରାଜଧାନୀ ଚର୍ଚ୍ଚିକା । ଏଠାରୁ କଟକ, ଖୋର୍ଦ୍ଧା ଓ ସୋନପୁରକୁ ସଡ଼କ ଅଛି । ବୈଦ୍ୟେଶ୍ଵରଠାରୁ କଳାପଥରକୁ ଓ କଳାପଥରଠାରୁ ଖୋର୍ଦ୍ଧାକୁ ସଡ଼କ ଅଛି । ଚର୍ଚ୍ଚିକାରେ କଚେରୀ, ଥାନା, ଜେଲଖାନା, ଡାକଘର, ହାଇସ୍କୁଲ, ବ୍ୟାଙ୍କ୍‍ ଅଫିସ୍, ଡାକ୍ତରଖାନା ଓ ହାଟ ବଜାର ଆଦି ରହିଅଛି ।

ଚର୍ଚ୍ଚିକା ଠାକୁରାଣୀଙ୍କ ପୀଠ ଅତ୍ୟନ୍ତ ମନୋମୁଗ୍ଧକର । ଏଠାରେ କ୍ଷଣମାତ୍ର ବିଶ୍ରାମ କଲେ ଚଞ୍ଚଳ ମନ ସ୍ଥିର ହୋଇଯାଏ । ଏହି ଠାକୁରାଣୀଙ୍କ ପଣାଯାତ୍ରା ଅତି ଚମତ୍କାର । ସେ ଦିନ ଝାମୁଆଁମାନେ ନିଆଁ ଉପରେ ଚାଲନ୍ତି । ଏହାକୁ ଝାମୁ ବୋଲାଯାଏ । ଏକଶ କୋଡ଼ିଏ ହାତ ପର୍ଯ୍ୟନ୍ତ ପୂର୍ବେ ପାଟୁଆ ଓ ଅରଟ ବୁଲା କାର୍ଯ୍ୟ ଏଠାରେ ହେଉଥିଲା । ଏହି ଯାତ୍ରା ଦୁଇ ମାସ ପର୍ଯ୍ୟନ୍ତ ବସେ । ଅନେକ ଦ୍ରବ୍ୟର କାରବାର ମଧ୍ୟ ହୁଏ ।

ବାଙ୍କୀର ମଧ୍ୟଭାଗରେ ମହାପର୍ବତ ନାମକ ଏକ ପର୍ବତ ଅଛି । ଏହି ପର୍ବତକୁ ଲାଗି ତା ଠାରୁ ସାନ ଆଉ ଗୋଟିଏ ପର୍ବତ ଅଛି । ଅନେକେ ଏହାକୁ “ମାମୁ ଭଣଞ୍ଜା’’ ବୋଲି କହନ୍ତି । ମହାପର୍ବତର ଶିଖର ଦେଶରେ ଚତୁର୍ମାସ୍ୟା ଦିନରେ ଲୋକେ ମଉଛା କରିବାକୁ ଯାନ୍ତି । ଏଠାକୁ ପୁରୀର ବଡ଼ ଦେଉଳ ଦେଖାଯାଏ । ପର୍ବତଟି ଟାଙ୍ଗରା । ସେପରି କିଛି ମୁଲ୍ୟବାନ୍‍ କାଷ୍ଠ ମଧ୍ୟ ଏଥିରେ ଜନ୍ମେ ନାହିଁ । କେବଳ ସ୍ଥାନେ ସ୍ଥାନେ ଆତୁଣ୍ଡି, ବେତ ବଣ ଓ ଅଁଳାକୋଳି ଗଛ ଦେଖାଯାଏ । ପର୍ବତର ଉପରି ଭାଗରେ ଗୋଟିଏ ଗଭୀର ଖାତ ଅଛି । ଏକ ସମୟରେ ଏହା ହୀରକ ଖଣି ଥିଲା ବୋଲି ଲୋକେ କହନ୍ତି । ଆହୁରି ମଧ୍ୟ କେହି କେହି ପୂର୍ବେ ଏହା ଆଗ୍ନେୟଗିରି ଥିବାର ଅନୁମାନ କରନ୍ତି । ଏହାର ଉଚ୍ଚତା ପ୍ରାୟ ଏକ ହଜାର ଫୁଟ ହେବ ।

ସରଣ୍ଡାର ଅଂଶୁପା ହ୍ରଦ ଗୋଟିଏ ଦର୍ଶନୀୟ ବସ୍ତୁ । ଏଠାକୁ ଅନେକ ଲୋକ ଦେଖିବାକୁ ଆସନ୍ତି । ହ୍ରଦଟି ଦକ୍ଷିଣ ଉତ୍ତରରେ ଏକ କ୍ରୋଶ ଲମ୍ବା ଏବଂ ପୂର୍ବ ପଶ୍ଚିମରେ ଏକ ମାଇଲ ଓସାର ହେବ । ଜଳ ଅତି ସ୍ଵଚ୍ଛ ଓ ସ୍ଵାସ୍ଥ୍ୟକର । ଏଥିରେ ପ୍ରଚୁର ପରିମାଣରେ ମାଛ ମିଳେ । ଏହି ମାଛ ଆଠଗଡ଼, ଖୋରଧା, କଟକ ଓ ଢେଙ୍କାନାଳ ପର୍ଯ୍ୟନ୍ତ ରପ୍ତାନି ହୁଏ ।

 

୭. ପ୍ରସିଦ୍ଧ ଦେବାଳୟ–

 

ଚର୍ଚ୍ଚିକା ଠାକୁରାଣୀ, ସିଂହନାଥ, ଜଗନ୍ନାଥ (ମହିମାମଣି), ତୃତୀୟା ଦେବ, ଚୈତନ୍ୟ, କନକ ଦୂର୍ଗା, ବୈଦ୍ୟନାଥ, ରାମନାଥ ।

 

୮. ମଠ–

 

ପାଣିକୋରଡ଼, କେନ୍ଦୁପଲ୍ଲୀ, କାଳୀପୋଇ, ଗଉଡ଼ଛେଲି, ଚିରାମାରୁ, ଖମାରଙ୍ଗ । ବଳଭଦ୍ରପୁର ଓ ବୈଦ୍ୟେଶ୍ଵରରେ ସଦାବ୍ରତ ମଠମାନ ରହିଅଛି। ଏମାନଙ୍କ ମଧ୍ୟରେ ପାଣିକୋରଡ଼ ଓ କେନ୍ଦୁପଲ୍ଲୀ ପ୍ରଧାନ ।

 

୯. ବାଙ୍କୀର ଆଡ଼େଣି ସଂଖ୍ୟା ନଅ−

 

ଯଥା :–ନରଗାଙ୍ଗ୍, ପୂର୍ବଦିଗ, ଘାସିପଡ଼ା, ସରଣ୍ଡା, ଉତ୍ତର କୂଳ, ଗଣ୍ଡିବେଢ଼, ବୈଦ୍ୟେଶ୍ଵର, ପୁଇଞ୍ଚା ଓ ମଧୁଆ ପଲ୍ଲୀ ।

 

୧୦. ଖମାର–

 

ଖମାର ମଧ୍ୟରେ ପାଟପୁର, ଢଁସର, ବ୍ରହ୍ମପୁରା ଓ ଖଲିପଲ୍ଲୀ ପ୍ରଧାନ ।

•••

 

ଦ୍ଵିତୀୟ ଅଧ୍ୟାୟ

ପ୍ରାଚୀନ ବାଙ୍କୀ ଓ ଧଳବଂଶୀୟ ରାଜାଗଣ

 

ବାଙ୍କୀ ଏପରି ନାମ କାହିଁକି ହେଲା, ସେ ବିଷୟରେ କୌଣସି ଐତିହାସିକ ତତ୍ତ୍ଵ ମିଳୁ ନାହିଁ । ତେବେ ଅନୁମାନ କରାଯାଏ, ଏ ରାଜ୍ୟର ଚତୁଃସୀମା ବକ୍ର; ସେଥିଲାଗି ଏହାକୁ ବକ୍ର ଦୁର୍ଗ କହନ୍ତି । ସେହି ବକ୍ର ଦୁର୍ଗରୁ ବଙ୍କାଗଡ଼ ଓ କାଳକ୍ରମେ ବଙ୍କାଗଡ଼ରୁ ବାଙ୍କୀ ଗଡ଼ର ଉତ୍ପତ୍ତି ହୋଇଅଛି-। ପ୍ରାଚୀନ ବାଙ୍କୀର ସୀମା ସରହଦ ସେପରି କିଛି ନ ଥିଲା କିମ୍ବା ସେତେବେଳେ ଏଥିରେ କୌଣସି ରାଜା ରାଜପଣ କରୁଥିବାର ମଧ୍ୟ ପ୍ରମାଣ ମିଳେ ନାହିଁ । “ବାଙ୍କୀରାଜ୍ୟ ବର୍ଣ୍ଣନା’’ ଶୀର୍ଷକ ପ୍ରବନ୍ଧରୁ ଜଣାଯାଏ ଯେ, ପ୍ରଥମେ ଏ ରାଜ୍ୟର ରାଜା କିଏ, ସେ ବିଷୟରେ କିଛି ନିଶ୍ଚିତ ତତ୍ତ୍ଵ ଜଣା ନାହିଁ । ମାତ୍ର ଶୁଣାଯାଏ ଯେ, ପ୍ରଥମେ ଡାହାଳିଆମାନେ ଏ ଦେଶ ଶାସନ କରୁଥିଲେ । ସେମାନେ ଭ୍ରମଣକାରୀ ଓ ଲୁଣ୍ଠନପ୍ରିୟ ଥିବାରୁ ପ୍ରଜାପୀଡ଼କ ଆଖ୍ୟା ପାଇଥିଲେ । ସେମାନଙ୍କ ରାଜତ୍ୱ ସମୟରେ ପ୍ରଜାଗଣ ଘୋର ଅଶାନ୍ତିରେ କାଳ ଯାପନ କରୁଥିଲେ । ସେମାନଙ୍କ ସଂପତ୍ତି ଓ ଜୀବନ କଦାପି ନିରାପଦ ନ ଥିଲା । ଏଥିରୁ ଅନୁମାନ କରାଯାଏ, ଏ ବୃତ୍ତାନ୍ତ ବୋଧ ହୁଏ ଗଜପତି ଅନଙ୍ଗଭୀମଦେବଙ୍କ ସମୟର କଥା ହୋଇଥିବ । ଅନନ୍ତର ପଶ୍ଚିମାଞ୍ଚଳବର୍ତ୍ତୀ ଧଳଭୂମ୍ ନିବାସୀ ବଳଭଦ୍ର ଧଳ ନାମକ ଜଣେ କ୍ଷତ୍ରିୟ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ପୁରୀଧାମକୁ ଆଗମନ କଲେ । ତାଙ୍କ ସହିତ ଜଣେ ବ୍ରାହ୍ମଣ ମଧ୍ୟ ଓଡ଼ିଶାକୁ ଆସିଥିଲେ । ଉଭୟେ ଜଗନ୍ନାଥ ଦର୍ଶନ ପରେ ଶ୍ରୀ ଚର୍ଚ୍ଚିକା ଠାକୁରାଣୀଙ୍କ ବିଷୟ ଶୁଣିପାରି ତାଙ୍କୁ ଦର୍ଶନ କରିବା ଇଚ୍ଛାରେ କିଛି ମହାପ୍ରସାଦ ଧରି ପାର୍ବତୀୟ ପଥରେ ବାଙ୍କୀ ପ୍ରତି ଅଗ୍ରସର ହେଲେ । ସେତେବେଳେ ଏ ପଥ ନିରାପଦ ନ ଥିଲା । ପଥମଧ୍ୟରେ ଶ୍ଵାପଦସଙ୍କୁଳ ବନଭୂମି ବନ୍ୟଦସ୍ୟୁମାନଙ୍କ ଦ୍ଵାରା ଆହୁରି ଭୟଙ୍କର ହୋଇଥିଲା । ଉଭୟେ ବହୁ କଷ୍ଟରେ ଚର୍ଚ୍ଚିକାଙ୍କୁ ଦର୍ଶନ କରି ମହାପ୍ରସାଦ ସମର୍ପଣ କଲେ-। ବଳଭଦ୍ର ମହାବୀର ଥିଲେ । ବାଙ୍କୀ ଅରାଜକ ହୋଇ ପଡ଼ିଛି, ସେଥିଲାଗି ତାଙ୍କ ମନରେ ରାଜ୍ୟ−ଲିପ୍ସାର ପ୍ରବଳ ଝଞ୍ଜା ବହିଗଲା । ସେ ଚର୍ଚ୍ଚିକାଙ୍କ ଅନୁସରଣରେ ରହିଲେ ।

ଦିନେ ରାତ୍ରିରେ ବଳଭଦ୍ର ନିଦ୍ରିତ ହୋଇଛନ୍ତି, ଦେଖିଲେ ଜଣେ ଅପୂର୍ବ ଲାବଣ୍ୟବତୀ ରମଣୀ ତାଙ୍କୁ ଗୋଟିଏ ରତ୍ନ ତାଟଙ୍କ ଦେଉ ଦେଉ କହୁଛନ୍ତି, “ବତ୍ସ, ନିଅ ଏ ତାଟଙ୍କ । ଗଜପତିଙ୍କୁ ଦେଖାଇବା ମାତ୍ରେ ତୁମ୍ଭର ଅଭିଳାଷ ପୂର୍ଣ୍ଣ ହେବ ।’’ ବଳଭଦ୍ରଙ୍କର ହଠାତ୍ ନିଦ୍ରାଭଙ୍ଗ ହେଲା । ସେ ବ୍ରାହ୍ମଣଙ୍କୁ ଡ଼ାକି କହିଲେ, “ଦେଖ, ମୋତେ ଜଣେ ରମଣୀ ଏ ତାଟଙ୍କଟି ଦେଇ ଗଜପତିଙ୍କ ଛାମୁକୁ ଯିବାପାଇଁ ଅନୁରୋଧ କରିଛନ୍ତି । ଏଥିରେ ମୋର ମନକାମନା ପୂର୍ଣ୍ଣ ହେବ ବୋଲି ମଧ୍ୟ ଆଦେଶ କରିଛନ୍ତି ।’’ ବ୍ରାହ୍ମଣ ଏଥିରେ ଆଶ୍ଚର୍ଯ୍ୟାନ୍ଵିତ ହୋଇ କହିଲେ, “ଏହା ନିଶ୍ଚୟ ଚର୍ଚ୍ଚିକା ଦେବୀଙ୍କ ଆଦେଶ । ଆପଣ କାଳ ବିଳମ୍ବ ନ କରି ଶୀଘ୍ର ପୁରୀଧାମକୁ ଚାଲନ୍ତୁ ।’’

ଅନନ୍ତର ଉଭୟେ ବହୁ କଷ୍ଟରେ ପୁରୀଧାମକୁ ଫେରିଲେ । ବଳଭଦ୍ର ଗଜପତିଙ୍କ ଛାମୁରେ ସମସ୍ତ କଥା ଆମୂଳ ବର୍ଣ୍ଣନ କରିଗଲେ । ଗଜପତି ଓ ସଭାସଦ୍‍ମାନେ ଉତ୍ତର କଲେ, “ଯଦି ଚର୍ଚ୍ଚିକାଙ୍କର ଏ ଆଦେଶ ବୋଲି ଆପଣ କହୁଛନ୍ତି, ତେବେ ତା’ର ସଂକେତ ସ୍ୱରୂପ କଅଣ ଆଣିଛନ୍ତି ?” ବଳଭଦ୍ର ଆନନ୍ଦମନରେ ସେହିକ୍ଷଣି ରତ୍ନ ତାଟଙ୍କଟି ଗଜପତିଙ୍କ ଶ୍ରୀହସ୍ତକୁ ବଢ଼ାଇ ଦେଲେ । ରାଜା ଆଶ୍ଚର୍ଯ୍ୟାନ୍ଵିତ ହୋଇ ରତ୍ନ ତାଟଙ୍କ ସହ ଅନ୍ତଃପୁରକୁ ବିଜେ କଲେ । ଏ ରତ୍ନ ତାଟଙ୍କ କାହୁଁ ପାଇଛନ୍ତି ବୋଲି ରାଣୀ ପ୍ରଶ୍ନ କଲାରୁ ଗଜପତି ବଳଭଦ୍ର ଧଳଙ୍କର ସମସ୍ତ ଘଟନା ବର୍ଣ୍ଣନ କରିଗଲେ । ରାଣୀ କହିଲେ, “ମହାରାଜା, ଉତ୍କଳର ମଉଡ଼ମଣି, ପଟେମାତ୍ର ତାଟଙ୍କରେ କିପରି ବିଶ୍ଵାସ କରୁଛନ୍ତି ? ତାଙ୍କୁ କୁହନ୍ତୁ, ସେ ପୁନର୍ବାର ଫେରିଯାଇ ଠିକ୍ ଅବିକଳ ଏହି ତାଟଙ୍କ ପରି ଆଉ ପଟେ ଆଣି ଦିଅନ୍ତୁ ।’’

ଗଜପତି ରାଣୀଙ୍କୁ ପ୍ରଶଂସା କରି ଫେରିଲେ । ବଳଭଦ୍ରଙ୍କୁ ସେହିକ୍ଷଣି ଆଦେଶ ହେଲା, “ତୁମ୍ଭର ଏ କଥାରେ ମହାରାଜ ଦୃଢ଼ ବିଶ୍ଵାସ କରୁ ନାହାନ୍ତି । ତୁମ୍ଭେ ଏଠାରୁ ଫେରି ଯାଇ ଅବିକଳ ଏହି ତାଟଙ୍କ ପରି ଆଉ ପଟେ ଆଣି ଦେଲେ ତୁମ୍ଭଙ୍କୁ ନିଶ୍ଚୟ ବାଙ୍କୀରାଜ୍ୟ ଶାସନର ସନନ୍ଦ ଦିଆଯିବ ।’’

ବଳଭଦ୍ର ବିମର୍ଷରେ ଫେରିଲେ । ପୁନର୍ବାର ବ୍ରାହ୍ମଣଙ୍କ ସହିତ ସେହି ଦୁର୍ଗମ ପଥ ଅତିକ୍ରମ କରି ଚର୍ଚ୍ଚିକାଙ୍କୁ ଅନୁସରଣ କଲେ । ଭାଗ୍ୟବଶତଃ ତାଙ୍କୁ ଆଉ ପଟେ ତାଟଙ୍କ ମିଳିଲା । ସେ ଆନନ୍ଦମନରେ ପୁରୀ ପ୍ରତ୍ୟାବର୍ତ୍ତନ କରି ବାଙ୍କୀ ଶାସନର ସନନ୍ଦ ପାଇଲେ । ସେହିଠାରୁ ଧଳ ବଂଶର ସୂତ୍ରପାତ ହେଲା । ଏହିପରି ଏଗାର ପୁରୁଷ ପର୍ଯ୍ୟନ୍ତ ଧଳବଂଶୀୟ ରାଜାମାନେ ରାଜତ୍ୱ କରିଥିଲେ । ନିମ୍ନରେ ସେମାନଙ୍କର ବଂଶଲତା ଦିଆଗଲା :–

Image

ବଳଭଦ୍ର ଧଳଙ୍କ ସମୟଠାରୁ ହୃଷୀକେଶ ଧଳଙ୍କ ପର୍ଯ୍ୟନ୍ତ ବାଙ୍କୀରେ କି କି ବିଶେଷ ଘଟନା ଘଟିଥିଲା, ତା’ର କୌଣସି ପ୍ରମାଣ ଏପର୍ଯ୍ୟନ୍ତ ମିଳି ନାହିଁ ।

 

ହୃଷୀକେଶଙ୍କ ପୁଅ ମଧୁରିପୁ ବଡ଼ ଉଦ୍ଦାମ ଓ ରଣକୁଶଳ ଥିଲେ । ତାଙ୍କର ବୀରତ୍ୱ ଭୁବନ−ବିଖ୍ୟାତ । ଏପରି କି କାଣ୍ଡ ବିନ୍ଧିବା ଓ ଲକ୍ଷ୍ୟଭେଦ କରିବା ପ୍ରଭୃତିରେ ନିଜ ସମକକ୍ଷ ପ୍ରତିଦ୍ଵନ୍ଦୀ କାହାରିକୁ ପାଇ ନ ଥିଲେ । ଏଥିଲାଗି ଗଜପତିଙ୍କ ସହିତ ତାଙ୍କର ମନ ମିଳୁ ନ ଥିଲା ।

 

* କେହି କେହି ମୂଳିଆଧଳଙ୍କଠାରୁ ଶ୍ରୀଚନ୍ଦନ ବଂଶ ଆରମ୍ଭ ବୋଲି କହନ୍ତି; ମାତ୍ର ରାଜବଂଶାବଳୀରୁ ସେପରି କିଛି ପ୍ରମାଣ ଆମ୍ଭେମାନେ ପାଇ ନାହୁଁ ।

 

ସେ ପ୍ରତି କାର୍ଯ୍ୟରେ ତାଙ୍କର ପ୍ରତିବାଦ କରୁଥିଲେ । ଏହାର ପ୍ରତିଫଳ ସ୍ୱରୂପ ଗଜପତି ତାଙ୍କୁ ପଇତା–ଘେନା ତୋଠରେ ଗହ୍ମାପର୍ବ ଦିନ ହାଣି ପକାଇଲେ । ସେ ମୁଣ୍ଡ ବାରବାଟୀ କିଲା ତଳେ ଲାଗିଲା । ସର୍ଦ୍ଦାର ଗଜପତିଙ୍କ ଶ୍ରୀ ଛାମୁରେ ନିବେଦନ କଲା, “ମହାରାଜା, ବାଙ୍କୀରାଜାଙ୍କ ମସ୍ତକ ବାରବାଟୀ କିଲା ତଳେ ଲାଗିଛି ।’’

 

“ବାଙ୍କୀ ରାଜବଂଶାବଳୀ’’ ଶୀର୍ଷକ ପ୍ରବନ୍ଧରୁ ଜଣାଯାଏ ଯେ, ମହାରାଜା ଏହା ଜାଣି ପାରି ବାଙ୍କୀ ପୃଥିବୀ ସରକାରୀ କରିଦେଲେ । ତାହା କେଉଁ ସରକାର (ଇଂରେଜ କି ଖୋଦ୍ ରାଜସରକାର) ନିର୍ଦ୍ଧାରଣ କରିବା କଠିନ । ପୁଣି ଜଣାଯାଏ ଯେ, ମଧୁରିପୁଙ୍କ ପୁଅ ମୂଳିଆ ଧଳ ପୁନର୍ବାର ଏ ରାଜ୍ୟ ଫେରି ପାଇଥିଲେ । ତେବେ ଏଥିରୁ ପ୍ରତୀତ ହେଉଅଛି, ତାହା ଅନ୍ୟ କୌଣସି ସରକାର ନୋହି ଖୋଦ୍ ରାଜସରକାର ହୋଇଥିବ ।

 

ମଧୁରିପୁଙ୍କ ମୃତ୍ୟୁ ଉତ୍ତାରେ ତାଙ୍କ ଗର୍ଭବତୀ ରାଣୀ ମୁକ୍ତା ଦେଈ ଗୋଟିଏ ପୁତ୍ର ପ୍ରସବ କରିଥିଲେ । ମାତା ଓ ଶିଶୁ ଗଡ଼ ପରିତ୍ୟାଗ କରି ଚର୍ଚ୍ଚିକା ଗ୍ରାମର ଗୋଟିଏ ଆଠଗଡ଼ିଆ ଘରେ ଆଶ୍ରୟ ନେଇଥାନ୍ତି । ଆଠଗଡ଼ିଆଟି ରାଣୀଙ୍କୁ କନ୍ୟାନିର୍ବିଶେଷରେ ପାଳନ କରିଥାଏ । କ୍ରମେ ଶିଶୁର ବୟସ ବୃଦ୍ଧି ହେବାକୁ ଲାଗିଲା । ମାଆଙ୍କର ଏ ସନ୍ତାନ ଗର୍ଭରେ ଥାଉ ଥାଉ ମୂଳ ବୁଡ଼ିଯିବାରୁ ରାଜୋଚିତ ନାମ ନ ଦେଇ ସେ “ମୂଳିଆ” ବୋଲି ପୁଅକୁ ସାଧାରଣତଃ ଡାକୁଥିଲେ । ସେ ରାଜା ହେଲେ ମଧ୍ୟ ମାତୃପ୍ରଦତ୍ତ ମୂଳିଆ ଧଳ ନାମରେ ରାଜସିଂହାସନ ଅଳଂକୃତ କରିଥିଲେ । କ୍ଷତ୍ରିୟ ସନ୍ତାନ କେତେ ଦିନ ଆତ୍ମଗୋପନ କରି ରହିପାରିବ ? ଦିନେ କୌତୁହଳ ପରବଶ ହୋଇ ମୂଳିଆ ଧଳେ ମାଆଙ୍କୁ ପିତାଙ୍କର ପରିଚୟ ମାଗିଲେ । ରାଣୀ ଅଶ୍ରୁପୂର୍ଣ୍ଣ ନୟନରେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନ କରିଗଲେ । ବୀରରକ୍ତରେ ଏ ଅପମାନ ସହ୍ୟ ହୋଇ ପାରିଲା ନାହିଁ । ତହୁଁ ସେ କେତେକ ଲୋକଙ୍କ ସାହାଯ୍ୟରେ ବାଙ୍କୀ ଓ ଓଡ଼ିଶାର ଦୋସମାଳି ଜାଗାରେ ବାଟମାରଣା (ଦସ୍ୟୁବୃତ୍ତି) ଆରମ୍ଭ କଲେ । ଗଜପତି ଏ ବିଦ୍ରୋହ ନିର୍ଗାପନ ନିମନ୍ତେ ଦଳେ ସୈନ୍ୟ ପଠାଇଲେ । ଦୁଇ ଦିନବ୍ୟାପୀ ଉଭୟ ଦଳ ମଧ୍ୟରେ ଘୋର ଯୁଦ୍ଧ ହୋଇଥିଲା । ପରିଶେଷରେ ମୂଳିଆ ଧଳ ବନ୍ଦିରୂପେ ଗଜପତିଙ୍କ ସମ୍ମୁଖକୁ ଆନୀତ ହେଲେ । ଗଜପତି ପ୍ରଶ୍ନ କଲେ, “ତୁମେ କି ସାହାସରେ ଏ ଉପଦ୍ରବ ଆରମ୍ଭ କରି ଅଶାନ୍ତିର ସୂତ୍ରପାତ କରୁଥିଲ ?” ବନ୍ଦୀ ଉତ୍ତର କଲେ, “ଯେ ମୋ ପିତାଙ୍କୁ ସ୍ଵହସ୍ତରେ ବଧ କରିଛି ଏବଂ ମୋର ପୈତୃକ ସଂପତ୍ତି ବଳପୂର୍ବକ ଅପହରଣ କରି ନେଇଛି, ମୋର ଆଉ ତା ପ୍ରତି କର୍ତ୍ତବ୍ୟ କ’ଣ ? ଛାମୁ ଓଡ଼ିଶାର ମଉଡ଼ମଣି । ଠିକ୍ ଯଦି ଏଇ ଅବସ୍ଥା ଛାମୁଙ୍କର ହୋଇଥାନ୍ତା, ତେବେ କି ଉପାୟ ଅବଲମ୍ବନ କରନ୍ତେ, ନିର୍ଦ୍ଧାରଣ କରନ୍ତୁ ।’’ ଗଜପତି ଯୁଗପତ୍ ବିସ୍ମିତ ହୋଇ ପଚାରିଲେ, “ତୁମେ କିଏ ? କି ହେତୁ ଏ କାର୍ଯ୍ୟ କରୁଥିଲ ?” ବନ୍ଦୀ ପୁନର୍ବାର ଗମ୍ଭୀର ସ୍ଵରରେ କହିଲେ, “ଛାମୁ ଯେଉଁ ମଧୁରିପୁଙ୍କୁ ସ୍ଵହସ୍ତରେ ବିନାଶ କରିଅଛନ୍ତି, ମୁଁ ସେହି ବାଙ୍କୀ ରାଜାଙ୍କର ପ୍ରକୃତ ଉତ୍ତରାଧିକାରୀ ।’’

 

ଗଜପତି ଏଥିରେ ଆହୁରି ବିସ୍ମିତ ହେଲେ ଏବଂ ସେହିକ୍ଷଣି ତାଙ୍କୁ ମୁକ୍ତି ଦେଇ ଘାସିପଡ଼ାରୁ ବାଇଶି ବାଟୀ ଜମି ଖଞ୍ଜିଦେଲେ । ଆନନ୍ଦରେ ମୂଳିଆ ଧଳ ଫେରିଆସି ଖମାରଙ୍ଗ ଗ୍ରାମନିକଟରେ ବାସ କଲେ । କିଛି ଦିନ ପରେ ମୁକ୍ତା ଦେଈ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇ ଗଜପତିଙ୍କ ପାଟ ମହାଦେଈଙ୍କ ସହିତ ସାକ୍ଷାତରେ ନାନା ପରାମର୍ଶ କରି ସ୍ଵରାଜ ପୁନଶ୍ଚ ଫେରାଇ ଆଣିଲେ । ଗଜପତିଙ୍କ ଆଦେଶକ୍ରମେ ଦେବାନ ଓ ବକ୍ସି ଉଭୟେ ମୂଳିଆ ଧଳଙ୍କୁ ବାଙ୍କୀ ସିଂହାସନରେ ଅଭିଷିକ୍ତ କରି ଦେଇ ଗଲେ ।

 

ମୂଳିଆ ଧଳଙ୍କ ରାଜତ୍ୱରେ ବାଙ୍କୀରେ ଅନେକଗୁଡ଼ିଏ ବିଶେଷ ଘଟନା ଘଟିଥିଲା । ତନ୍ମଧ୍ୟରେ “ଧୋବେଇ ଗୁରୁ” ମନ୍ଦିର ନିର୍ମାଣ, ଚର୍ଚ୍ଚିକାଙ୍କ ପଣାଯାତ୍ରା, ଅରଟି ବୁଲା ଓ ଝାମୁଯାତ୍ରା ପ୍ରଭୃତି ପ୍ରଧାନ । ଏହା ଛଡ଼ା ପାଟପୁରର ସିଂହନାଥ ଦେବଙ୍କ ଶୀତଳଷଷ୍ଠୀ ଯାତ୍ରା, ବ୍ରାହ୍ମଣ ଭୋଜି ଏସବୁ ମଧ୍ୟ ମୂଳିଆ ଧକଙ୍କ କୀର୍ତ୍ତି ।

 

‘ଧୋବେଇ ଗୁରୁ’ଙ୍କ ସ୍ଥାପନ ବିଷୟରେ ଯେ ସବୁ ପ୍ରବାଦ ଓ କିମ୍ବଦନ୍ତୀ ମିଳେ, ସେ ସବୁ ଏଠାରେ କହିବା ଅନାବଶ୍ୟକ । ତେବେ ଯାହା ବିଶ୍ଵାସଯୋଗ୍ୟ ଓ କେତେକ ପରିମାଣରେ ଅନୁମାନସିଦ୍ଧ, ତାହା ନିମ୍ନରେ ବିବୃତ ହେଲା ।

 

ମୂଳିଆ ଧଳ ଦିନେ ଖମାରଙ୍ଗଠାରୁ ବାହାରି ମୃଗୟା ଉଦ୍ଦେଶ୍ୟରେ ଭ୍ରମଣ କରୁଥିଲେ । କିପରି ନିରାପଦ ସ୍ଥାନରେ ଦୁର୍ଗ ନିର୍ମାଣ କଲେ ସେ ଆନନ୍ଦରେ ରହିପାରିବେ, ଏହା ମଧ୍ୟ ତାଙ୍କ ଭ୍ରମଣର ଅନ୍ୟ ଉଦ୍ଦେଶ୍ୟ ଥିଲା । ବୁଲୁ ବୁଲୁ ମାଳତୀମୁଣ୍ଡିଆଠାରେ ତାଙ୍କ ମନ କି ଭାବରେ ଆକୃଷ୍ଟ ହେଲା କେଜାଣି, ସେହିଠାରେ ସେ ଦୁର୍ଗ ନିର୍ମାଣ କରିବାପାଇଁ ଆଶା ବଳାଇଲେ । ସ୍ଥାନର ମାହାତ୍ମ୍ୟ ଅବା କାହାଠାରୁ ବୁଝିବେ ? ସେ ତ ଏକାକୀ ସଙ୍ଗରେ ସେପରି କେହି ନାହିଁ । ଚତୁର୍ଦ୍ଦିଗ ନିରୀକ୍ଷଣ କଲେ, ବନ ଭୂମିରେ ମଧ୍ୟ କାହାରୀକୁ ଦେଖି ପାରିଲେ ନାହିଁ । ଅଳ୍ପ ଦୂରରେ କାଠହଣା ଶବ୍ଦ ଶୁଣିପାରି ସେଟାକୁ ଗଲେ । ଦେଖିଲେ ଗୋଟିଏ ଧୋବା କାଠ ହାଣୁଛି । ଧୋବା ଏହାଙ୍କୁ ରାଜା ବୋଲି ଜାଣେ ନାହିଁ । ହଠାତ୍ ମୂଳିଆ ଧଳ ତାଙ୍କୁ ପଚାରିଲା, “ଆଛା, ଏଠାରେ ଦୁର୍ଗ ପ୍ରସ୍ତୁତ କଲେ ଭଲ ହୁଅନ୍ତା କି ?” ଧୋବା ଏ କଥା ଶୁଣି ତାଙ୍କୁ ରାଜା ବୋଲି ଜାଣିପାରି କହିଲା, “ଆଜ୍ଞା, ଏ ମାଟି ଗଡ଼କୁ ସାଜେ; କାରଣ ଏ ଖଣ୍ଡଚକଡ଼ାରେ ଏ ମାଟିଭଳି ବୀରମାଟି ଖଣ୍ଡେ ନାହିଁ ।’’

 

ରାଜା ପୁନଶ୍ଚ କାହିଁକି ବୋଲି ପ୍ରଶ୍ନ କଲେ । ଧୋବା କହିଲା, “ଏଇଠାରେ ପରା ଗୋଟାଏ ସଞ୍ଚାଣକୁ ବଗଟାଏ ମାଡ଼ିବସିଲା ।’’ ରାଜା ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କେଉଁ ଜାଗାଟା କହିଲୁ ?” ଧୋବା ମୁଣ୍ଡ ନୁଆଁଇଁ ହଠାତ୍ ସେ ଜାଗାକୁ ଠାରିଦେବା ମାତ୍ରେ ରାଜା ତାକୁ ହାଣିବାକୁ ଉଦ୍ୟତ ହେଲେ । ଧୋବା କହିଲା, “ଛାମୁଙ୍କର ମୁଣ୍ଡରେ ଅଧିକାର । ତେବେ ଏତିକି କହୁଛି, ଯଦି ମୋତେ ମାରନ୍ତି, ତେବେ ମୋରି ନାମାନୁସାରେ ଏଠାରେ ଦୁର୍ଗାଧିଷ୍ଠାତ୍ରୀ ଦେବୀଙ୍କୁ ସ୍ଥାପନ କରିବେ-।’’ ରାଜା ସେଥିରେ ସମ୍ମତ ହେଲେ । ଧୋବାଠାରୁ ଗଡ଼ କରିବା ଲାଗି ଉପଦେଶ ପାଇଥିବାରୁ ସେ ଠାକୁରାଣୀଙ୍କ ନାମ ‘ଧୋବେଇ-ଗୁରୁ’ ରଖାଗଲା । ବର୍ତ୍ତମାନ ସେ ସ୍ଥାନରେ ଦେଉଳର ଭଗ୍ନାବଶେଷ ଦୃଷ୍ଟିଗୋଚର ହୁଏ ଏବଂ ଦେବୀ ପକ୍ଷରେ ସେଠାରେ ଆଜିଯାଏ ମଧ୍ୟ ବଳି ପ୍ରଭୃତି ଅର୍ପିତ ହେଉ ଅଛି ।

 

ମୂଳିଆଧଳଙ୍କର ଚାରୋଟି ପୁତ୍ର ଥିଲେ । ତନ୍ମଧ୍ୟରେ ରବି ଧଳ ଜ୍ୟେଷ୍ଠ ଥିବାରୁ ପିତାଙ୍କ ଅନ୍ତେ ରାଜସିଂହାସନ ଅଳଂକୃତ କରିଥିଲେ । ଏହାଙ୍କ ରାଜତ୍ୱରେ ସେପରି କିଛି ବିଶେଷ ଘଟନା ଘଟି ନଥିଲା । ତାଙ୍କପରେ ଗମେଇଁ ଧଳ ବାଙ୍କୀର ରାଜା ହେଲେ । ଏ ରାଜା ଧଳାବଂଶର ଶେଷ ରାଜା । ଏହାଙ୍କଠାରୁ ଧଳବଂଶ ଲୋପ ଓ ଶ୍ରୀଚନ୍ଦନ ବଂଶର ସୂତ୍ରପାତ ହେଲା । ପରବର୍ତ୍ତୀ ଅଧ୍ୟାୟରେ ସେ ବଂଶର ବିଶେଷ ଘଟନାମାନ ବର୍ଣ୍ଣିତ ହେବ ।

•••

 

ତୃତୀୟ ଅଧ୍ୟାୟ

ଶ୍ରୀ ଚନ୍ଦନ ବଂଶୀୟ ରାଜାମାନଙ୍କ ବିବରଣ

ଗମେଇଁ ଧଳଙ୍କ ଅନ୍ତେ ପୁଣ୍ୟଶ୍ଳୋକ ପାଥ ଧଳ ରାଜ−ସିଂହାସନ ଅଳଙ୍କୃତ କରିଥିଲେ । ବାଙ୍କୀରେ ଏପରି ମହାପୁରୁଷ କେବେ ରାଜା ହୋଇ ନ ଥିଲେ । ଦେବବ୍ରାହ୍ମଣ−ଭକ୍ତ, ଯୁଦ୍ଧ−ବିଶାରଦ, କ୍ରିଡ଼ାପ୍ରିୟ ପଣ୍ଡିତ ନରପତିମାନଙ୍କ ମଧ୍ୟରେ ପାଥ ଥିଲେ ପ୍ରଥମ । ତାଙ୍କପରି ସରଲ ପ୍ରଜାପାଳକ ରାଜା ସେ କାଳରେ ବିରଳ ଥିଲେ ବୋଲି କହିଲେ ଚଳେ ।

ପାଥ ସିଂହାସନ ପାଇବା ମାତ୍ରେ ଶ୍ରୀଚନ୍ଦନପୁର ଶାସନ ବସାଇ ରଣପୁର ଗ୍ରାମକୁ ଷୋଳ ଭାଗରେ ବ୍ରାହ୍ମଣମାନଙ୍କୁ ନିଷ୍କରରୂପେ ଦାନ କରିଥିଲେ । ତାଙ୍କର ବୀରତ୍ୱ ଓ ପାଣ୍ଡିତ୍ୟରେ ଅନ୍ୟାନ୍ୟ ସାମନ୍ତ ରାଜାମାନେ ଆଶ୍ଚର୍ଯ୍ୟ ହୋଇ ପଡ଼ୁଥିଲେ । ଗଜପତିଙ୍କୁ ସେ ଅନେକ ଯୁଦ୍ଧ ଓ ରାଜକାର୍ଯ୍ୟରେ ସାହାଯ୍ୟ ତଥା ପରାମର୍ଶ ଦେଇଥିବାରୁ ଗଜପତି ତାଙ୍କୁ ଧଳ ପରିବର୍ତ୍ତେ “ଶ୍ରୀଚନ୍ଦନ ମହାପାତ୍ର’’ ଉପାଧି ଓ ୧୪ ଗଡ଼ଜାତରେ “ବେହେରା ଖଣ୍ଡାଏତ” ପଦ ନିମ୍ନଲିଖିତ ରାଜା−ସନନ୍ଦ ସହିତ ପ୍ରଦାନ କରିଥିଲେ :−

ଶ୍ରୀ ମହାରାଜ ଗଜପତି ଶ୍ରୀ ଛାମୁରୁ ଶ୍ରୀ ଶ୍ରୀଚନ୍ଦନ ମହାପାତ୍ରଙ୍କ ପ୍ରତି ସମ୍ମାନସୂଚକ ବ୍ୟବସ୍ଥା ।

୧.

ବଡ଼ ଦେଉଳରେ ବଡ଼ ପରିଚ୍ଛା ପଣ

୨.

ଧବଳ ଓ କଳା ଛତ୍ର

୩.

ହାତୀ ଉପରେ ଅମାରୀ

୪.

କାହାଳୀ

୫.

ସାବହବ ନଉବତ

୬.

ହାତୀ ଉପରେ ଶବ୍ଦ ନିଶାଣ

୭.

ପାଲିଙ୍କି ଆଗପଛେ ନାରଙ୍ଗୀ (୧)

୮.

ଦୁଇଟି ଚାମର ଓ ମୟୂର ଝୁଲ

୯.

ଦୁଇଟି ଚନ୍ଦ୍ର ସୂର୍ଯ୍ୟ ତ୍ରାସ

୧୦.

ଦୁଇଟି ରୂପା ଆଶାନଖୀ (୨)

୧୧.

ସୁରେଖ ଧଣ୍ଡା (୩)

୧୨.

ଶବ୍ଦ କଗାଳ(୪)

୧୩.

ପାଲିଙ୍କୀରେ ପଟୁକା

୧୪.

ପାଲିଙ୍କୀ ଛତ୍ରି ଉପରେ ମଲମଲ ଚାଦର

୧୫.

ପଗଡ଼ି ଉପରେ ନଟକଣ (୧)

୧୬.

ବାରୁ ବେକରେ ପଟୁକା

୧୭.

ମୁଣ୍ଡ ଉପରେ ବକ୍ ସାମଲ ବାନା

୧୮.

ଘୋଡ଼ା ଉପରେ ନାଗରା

୧୯.

ହାତୀ ଉପରେ ଧଂସା (୨)

୨୦.

ଓଟ ଉପରେ ଦମାଲୁ

 

ନାରଙ୍ଗୀ–କାଠରେ ପ୍ରସ୍ତୁତ ସ୍ଵର୍ଣ୍ଣଦିଜଡ଼ିତ ଏକ ପ୍ରକାର ଛଡ଼ି ।

ଆଶାନଖୀ–ବାଡ଼ୀରେ ରୂପା ଖୋଳ ହୋଇ ଉପରେ ବାଘନଖ ବସିଥାଏ ।

ସୁରେଖ ଧଣ୍ଡା–କାଠ ବା ବାଉଁଶ ଖଣ୍ଡରେ ରୂପା ଛିଆଣୀ ହୋଇ ଉପରେ ଏକ ଫୁଲ ମାଳ ଲମ୍ବି ପଡ଼ିଥାଏ ।

ଜଂଗାଳ–ଚାରି କଣିଆ ବସ୍ତ୍ରଖଣ୍ଡ ଦେହରେ ଛବି ଲେଖାଯାଇଥାଏ ।

 

ରାଣୀଙ୍କ ସକାଶେ :–

 

୧.

ଭିତର ଦିଗ ଛାମୁରେ ପାଟମହାଦେଈ ପଦ

୨.

ଚନ୍ଦ୍ର ସୂର୍ଯ୍ୟ ଉହାଡ଼ୀ (୩)

୩.

ମଗରମୁହାଁ ପାଲିଙ୍କୀ

 

ହାକିମି ସାମନ୍ତ (ଯୁବରାଜ)ଙ୍କପାଇଁ :–

 

୧.

ମର୍ଦ୍ଦରାଜ ରାୟସିଂହ ପଦ

୨.

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଛାମୁ ଦରଶନ

୩.

ବଡ଼ ଦେଉଳରେ ମର୍ଯ୍ୟାଦା; ବେଢ଼ା ଭିତରେ ମୁକ୍ତିମଣ୍ଡପ ପାହାଚ ଯାଏ ଯିବା ।

୪.

ଯାଉଁଳି ଓ ଗୋଟିକିଆ ମଶାଲ

୫.

ବଡ଼ ଦେଉଳରେ ବଡ଼ ପରିଚ୍ଛାପଣ

୬.

ସୁନା ଛଡ଼ି

୭.

ଅର୍ଗଳିଠାରେ ଚାମର ସେବା

୮.

ଦେଉଳ ଶୋଧନ

୯.

ଶାଢ଼ି ପରମ୍ପରା ମାଫିକେ

୧୦.

ଛତିଶା ନିଯୋଗ ଗହଣରେ ବସାକୁ ଫେରିବା

 

ଜଟକଣ–ସ୍ଵର୍ଣ୍ଣରତ୍ନାଦିରେ ନିର୍ମିତ ଏକ ରକରକମ ଅଳଂକାର ।

ଧଂସା–ଏକ ପ୍ରକାର ଗୋଳାକୃତି ବାଦ୍ୟ ।

ବସ୍ତ୍ରରେ ପ୍ରସ୍ତୁତ ଶବାରୀର ଖୋଳ । ତହିଁର ଏକ ପାଖରେ ଚନ୍ଦ୍ରଙ୍କ ଛବି ଓ ଅପର ପାର୍ଶ୍ଵରେ ସୂର୍ଯ୍ୟଙ୍କ ଛବି ରୂପା ଓ ସୁନାରେ ଅଙ୍କିତ ହୋଇଥାଏ । ଏହାକୁ ଚନ୍ଦ୍ର ସୂର୍ଯ୍ୟ ଉହାଡ଼ୀ କହନ୍ତି ।

 

ଶ୍ରୀପୁରୁଷୋତ୍ତମକୁ ଶ୍ରୀଚନ୍ଦନ ମହାପାତ୍ର ବିଜୟ ବେଳକୁ :–

 

୧.

ଅଠରନଳାଠାରୁ ଦେବାନ କିମ୍ବା ବକ୍ସି ଦୁଇଜଣ ମଧ୍ୟରୁ ଜଣେ ଯାଇଁ ପାଛୋଟି ଘେନିଆସିବେ ।

୨.

କଳା ଓ ଧଳାଛତ୍ର ବନ୍ଦ ।

୩.

ଚାମର ଓ ଦୁଇଟି ମୟୂର ଝୁଲ ।

୪.

ତ୍ରାସ, ଝାଲର ପଙ୍ଖା, ଖଦୀ ।

୫.

ଚୋପଦାର, ଭାଟ ଓ ମଙ୍ଗଳ ଗାୟକମାନେ ଥିବେ ।

୬.

ଘୋଡ଼ା ଉପରେ ନାଗରା ।

୭.

ସୁନାକୁମ୍ଭ ପାଲିଙ୍କୀ ଉପରେ ଶୁକ୍ଳ ଚାଦର ବଇରଖ ।

୮.

ଘୋଡ଼ା ବେକରେ ପଟୁକା ।

୯.

ମୁଣ୍ଡରେ ବକ୍‍ସାମଲ ବାନା ।

୧୦.

ଯାଉଁଳୀ ଓ ଗୋଟିକିଆ ମଶାଲ ଦେବାର୍ଚ୍ଚନ ଯାଏ ଯିବ ।

୧୧.

ଛାମୁ ଶିରୁପା ପରମ୍ପରା ମାଫିକେ ।

୧୨.

ସର୍ପେଚ ବାଜବନ୍ଧ ସହିତ ଛାମୁରୁ ମର୍ଯ୍ୟାଦା ହେବ ।

 

ଶ୍ରୀ ଶ୍ରୀ ଠାକୁର ରାଜାଙ୍କ ଛାମୁରୁ ରାଜା ଶ୍ରୀଚନ୍ଦନ ମହାପାତ୍ରଙ୍କ ନିମନ୍ତେ ଶିରୁପା ମର୍ଯ୍ୟାଦା

 

ପାଗ, ସର୍ପେଚ, ବାଜୁବନ୍ଧ, ନଟକଣ, ଜରୀ କମରବନ୍ଧା, ପତନୀ ପ୍ରତ୍ୟେକେ ଥାନେ ଲେଖାଏଁ ଏବଂ ଘୋଡ଼ା ଏକଗୋଟା ।

ସନନ୍ଦ

ବାଙ୍କୀ ଦଖଲ ପୃଥ୍ଵୀ ଅମାଙ୍ଗୀଠାରୁ କମାଙ୍ଗୀ ଯାଏ ଦଖଲ ଅମଳରେ ଶ୍ରୀଚନ୍ଦନ ମହାପାତ୍ର ଆଣୁଥିବେ ।

ଯୁବରାଜଙ୍କପାଇଁ

ପାଗ, ମଲମଲ, କମରବନ୍ଧା ପ୍ରତ୍ୟେକେ ଥାନେ ଲେଖାଏଁ । ଘୋଡ଼ା ଓ ପତନୀ ଦୁଇଗୋଟା ।

ଦାଦୀ ଜଗଦ୍ଦେବଙ୍କପାଇଁ

ପାଗ, ଥାନ, ପତନୀ ପ୍ରତ୍ୟେକେ ଥାନେ ଲେଖାଏଁ ଓ ଘୋଡ଼ା ଗୋ ୧ ଟା ।

ବ୍ୟବର୍ତ୍ତାଙ୍କପାଇଁ

ପାଗ, ଥାନ, ପତନୀ ଓ ଘୋଡ଼ା ଗୋ ୧ ଟା । ଅମିନଙ୍କପାଇଁ ତଦ୍ରୂପ । ଅନ୍ତର ଭାଇଙ୍କର ଭ୍ରମରବର ପଦ ପତନୀ ଶାଢ଼ି ଗୋ ୧ ଟା । ଏବାଦ୍ ପତନୀ ଗୋ ୧୦ ଟା ଓ ଝୋଲା ଗୋ ୧୦ ଟା ।

ରାଜା ଶ୍ରୀଚନ୍ଦନ ମହାପାତ୍ରଙ୍କର ଶ୍ରୀ ଶ୍ରୀ ଠାକୁର ରାଜାଙ୍କ ଛାମୁକୁ ସଙ୍ଖୋଳା–

ପାଗା, କିନିଖାପ୍, ମୁସୋମର୍‍, ଗୁଦଡ୍, ମଲ ମଲ ପ୍ରତ୍ୟେକ ଥାନେ, ଫେଟା ଝୋଲା ଗୋ ୨୦ ଟା ଶିରୋପାପାଇଁ ନଗଦ ଟ ୧୭୫୦/-, ମହାରାଜାଙ୍କ ଛାମୁକୁ ନଜର ବନ୍ଦୀ ଟ ୧୦୧/–ଏରୂପ ଗାଏ ଟ ୧୮୫୧/- ।

ଦେବାନଙ୍କପାଇଁ

ପାଗ, ମଲମଲ ଥାନେ ଲେଖାଁଏ । ଫେଟା ଝୋଲା ମୂ୧୦ର୍ତ୍ତି । ନଗଦ ଟ ୩୦/-, ରାଜଗୁରୁ ଟ ୩୦/-, ବଳୀୟାର ସିଂହ ଟ ୨୫/-, ରାଉତରା ଟ ୨୫/- ଗାଏ ଟ ୮୦/-।

 

ଛାମୁ ପଟ୍ଟନାୟକ, ମୋହରିର, ଅସ୍ତବଳ, ଦୋର ଦାରୋଗା, ମୁସାଦି ଓଗେରଙ୍କପାଇଁ ଟ ୧୨୦/- । ପରେ ଦରବାର ବ୍ୟୟ ଫେଟା ଝୋଲା ମୂ୮୧ର୍ତ୍ତି ।

 

ପାଥ ଶ୍ରୀଚନ୍ଦନ କିପରି ପଣ୍ଡିତ ଓ ରଣକୁଶଳ ନରପତି ଥିଲେ, ଏଥିରୁ ଜଣାପଡ଼ୁଅଛି । ଏହାଙ୍କଠାରୁ ଶ୍ରୀଚନ୍ଦନ ବଂଶ ଆରମ୍ଭ । ନିମ୍ନରେ ସେ ବଂଶର ବଂଶଲତା ଓ ରାଜତ୍ୱ କାଳ ଦିଆଗଲା–

Image

 

ପାର୍ଥ ଶ୍ରୀଚନ୍ଦନ–୧୬୫୩−୧୬୭୦

ଏହାଙ୍କ ରାଜତ୍ୱ ସମୟରେ ବାଙ୍କୀର ବହୁବିଧ ଉନ୍ନତି ସାଧିତ ହୋଇଥିଲା । ଏ ରାଜା ବଡ଼ ଧାର୍ମିକ ଓ ଲକ୍ଷ୍ମୀବନ୍ତ ପୁରୁଷ ଥିଲେ । ଏହାଙ୍କ ନାମ ପଡ଼ିଲେ ଲୋକେ କହନ୍ତି ଆଜି ଅନ୍ନ ଜଳର ଅଭାବ ନାହିଁ । ଏହାଙ୍କ ଶାସନ କାଳରେ ବାଙ୍କୀରେ ଅନେକ ପୁଷ୍କରିଣୀ ଓ ବନ୍ଧ ନିର୍ମିତ ହୋଇଥିଲା । ଅନେକ ପ୍ରଜା ଓ ବ୍ରାହ୍ମଣ ବହୁତ ଜମିଭୂମି ପାଇଥିଲେ । ଦୁର୍ଭିକ୍ଷ ସମୟରେ ଏ ମହାତ୍ମା ଅଯାଚିତ ଭାବରେ ଧାନ, ଟଙ୍କା, ପଇସା ବାଣ୍ଟି ଦେଉଥିଲେ । ପ୍ରସିଦ୍ଧ ଝଞ୍ଜାଳିଆ ପାଟବନ୍ଧ ଏହାଙ୍କ ଉଦ୍‍ଯୋଗରେ ପ୍ରସ୍ତୁତ ହୋଇଥିଲା । ମାଦଳା ପାଟରୁ ଜଳପ୍ରଣାଳୀ ପ୍ରସ୍ତୁତ କରାଇ ସନ୍ନିକଟ ପାଟମାନଙ୍କ ସଙ୍ଗେ ଯୋଗ କରାଇବା ଦ୍ଵାରା ଦାଳୁଅ ଫସଲର ପ୍ରଭୂତ ଉପକାର ସାଧିତ ହେଉଅଛି । ପ୍ରଜାରକ୍ଷା ବିଷୟରେ ସେ “ରାମଚନ୍ଦ୍ର’’ ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରସିଦ୍ଧ ରହଣିଆ ପୋଖରୀ ଏହି ରାଜାଙ୍କ କୀର୍ତ୍ତି । ଏହାଙ୍କ ରାଜତ୍ୱ କାଳରେ ବାଙ୍କୀରେ ସର୍ବ ପ୍ରଥମେ ବନ୍ଦୋବସ୍ତ ଚଳିଥିଲା । ନିକଟବର୍ତ୍ତୀ ରାଜାମାନଙ୍କ ସଙ୍ଗେ ଏହାଙ୍କର ସଦ୍‍ଭାବ ଥିଲା ।

ଏହାଙ୍କ ପରେ ମଧୁସୂଦନ ଓ ତାଙ୍କ ପରେ ନିମାଇଁ ଶ୍ରୀଚନ୍ଦନ ବାଙ୍କୀ ରାଜ ସିଂହାସନ ଅଳଂକୃତ କରିଥିଲେ । ଏ ଉଭୟଙ୍କ ରାଜତ୍ୱ କାଳରେ ସେପରି କିଛି ବିଶେଷ ଘଟନା ଘଟି ନ ଥିଲା-

ଅନନ୍ତର ରଣକୁଶଳ ଧନଞ୍ଜୟ ୧୭୦୨ ଖ୍ରୀଷ୍ଟାବ୍ଦରେ ରାଜା ହେଲେ । ଖୋର୍ଦ୍ଧରେ ଭୋଇବଂଶୀୟ ରାଜାଙ୍କ ସହିତ ବାଙ୍କୀ ଓ ଖୋର୍ଦ୍ଧାର ଦୋସୀମାଳି ସୀମା ବିଷୟରେ ବହୁଦିନବ୍ୟାପୀ କଳହ ଆରମ୍ଭ ହେଲା । ଏଥିରେ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହୋଇ ପରିଶେଷରେ ଯୁଦ୍ଧ କରିବାଲାଗି ସଜ୍ଜିତ ହେଲେ । ପ୍ରଥମ ଥର ଖୋର୍ଦ୍ଧା ରାଜା ବାଙ୍କୀର ସୈନ୍ୟମାନଙ୍କୁ ରଗଡ଼ୀ ପର୍ଯ୍ୟନ୍ତ ତଡ଼ି ଆଣିଲେ । ରାଜା ଧନଞ୍ଜୟ ସେଠାରେ ସେନାନିବାସ ସ୍ଥାପନ କରି ଶତ୍ରୁ ପ୍ରତୀକ୍ଷାରେ ରହିଲେ । କିନ୍ତୁ ଦିନେ ଅର୍ଦ୍ଧ ରାତ୍ରିରେ ଶତ୍ରୁପକ୍ଷ ତାଙ୍କ ଶୋଇଥିବା ବେଳେ ତାଙ୍କୁ ହତ୍ୟା କଲେ । ପୁତ୍ର ଦୟାନିଧି ସେ ସମୟରେ ବାରବର୍ଷର ବାଳକ, ଯୁବତୀ ରାଣୀ; ରାଜ୍ୟ ମଧ୍ୟରେ ଘୋରତର ଆତଙ୍କ ଉପସ୍ଥିତ ହେଲା । କିପରି ଭାବରେ ଯୁଦ୍ଧ ଚଳାଇବାକୁ ହେବ ଏ ବିଷୟରେ ସେନାପତି ବ୍ୟବର୍ତ୍ତା ଓ ଅନ୍ୟାନ୍ୟମାନେ ରାଣୀଙ୍କ ସହିତ ପରାମର୍ଶ କରିବାକୁ ଲାଗିଲେ । ବ୍ୟବର୍ତ୍ତା କହିଲେ, “ମୁଷ୍ଟିମେୟ ସୈନ୍ୟ ସାହାଯ୍ୟରେ ଯୁଦ୍ଧ କରିବା ବିଡ଼ମ୍ବନା । ବର୍ତ୍ତମାନ ଯୁଦ୍ଧ ବନ୍ଦ କରି ସନ୍ଧି ଲାଗି ପ୍ରସ୍ତାବ ପଠାଯାଉ ।’’ ରାଣୀଙ୍କ ନୟନରୁ ଅଗ୍ନିକଣା ନିର୍ଗତ ହେଲା । ସେ ହୁଁଙ୍କାର କରି କହିଲେ, “ତୁମ୍ଭେ ବୃଦ୍ଧ, ତୁମ୍ଭର ମତ ଚପଳ । ସେ ହେତୁ ଏପରି ପ୍ରସ୍ତାବ କରୁଛ । ଶ୍ରୀଚନ୍ଦନ ଅନ୍ନର କ’ଣ ଏଇ ସଦ୍‍ବ୍ୟବହାର ? ରାଜା ଯିବା ପଛେ ପଛେ ସ୍ଵାଧୀନତା ହରାଇ ବସିବା କ’ଣ ତୁମ୍ଭର ଅଭିପ୍ରାୟ ? ନା, ବରାବର ଯୁଦ୍ଧ ଘୋଷଣା କରିବାକୁ ହେବ ।’’

ବୀର ବାଳକ ଦୟାନିଧି ଓ ସେନାପତି ଧନୁର୍ଦ୍ଧର ଏଥିରେ ସମ୍ମତ ହୋଇ ସୈନ୍ୟ ସଜାଇବା ଲାଗି ଆଦେଶ ଦେଲେ । ଯୁଦ୍ଧ ଘୋଷଣା ହେଲା । ବାଙ୍କୀ ରାଜାଙ୍କୁ ଏ ଯୁଦ୍ଧରେ ତିଗିରିଆ, ବଡ଼ମ୍ବା, ନରସିଂହପୁର ଓ ସରଣ୍ଡାର ରାଜାମାନେ ସାହାଯ୍ୟ କରିଥିଲେ । ଏହି ଯୁଦ୍ଧରେ ନିଜେ ରାଣୀ ପୁରୁଷ ବେଶରେ ସେନାପତି କାର୍ଯ୍ୟ ଚଳାଇଥିଲେ । ବିପକ୍ଷ ସୈନ୍ୟମାନେ ବିଜୟୀ ହୋଇଥିବାରୁ ଏବଂ ବାଙ୍କୀର ଯୁଦ୍ଧ ସଜ୍ଜା ବିଷୟ ଅବଗତ ନ ଥିବାରୁ ହଠାତ୍ ଶତ୍ରୁର ଆଗମନ ଦେଖି ସେମାନଙ୍କ ମଧ୍ୟରେ ବିଶୃଙ୍ଖଳା ଉପସ୍ଥିତ ହେଲା । ସୁତରାଂ ଖୋର୍ଦ୍ଧାର ସୈନ୍ୟମାନେ ବାଧ୍ୟହୋଇ ପୁଷ୍ଠଭଙ୍ଗ ଦେଲେ । ଏ ଯୁଦ୍ଧରେ ଖୋର୍ଦ୍ଧାର ବିଖ୍ୟାତ ସେନାପତିଙ୍କର ମୁତ୍ୟୁ ଘଟିଥିଲା । ବାଙ୍କୀର ପାଇକମାନେ ଶତ୍ରୁ ପକ୍ଷକୁ ଖୋରଧାର କୁଶୁପଲ୍ଲା ଟାଙ୍ଗି ପର୍ଯ୍ୟନ୍ତ ତଡ଼ି ନେଇଥିଲେ । ସେଠାରେ ଏ ଯୁଦ୍ଧର ସ୍ମୃତିସ୍ତମ୍ଭ ସଦୃଶ ଗୋଟିଏ ମୁଣ୍ଡ ଦେଉଳ ନିର୍ମିତ ହୋଇଥିଲା । ଆଜିକାଲି ମଧ୍ୟ ଏ ଦେଉଳର ଭଗ୍ନାବଶେଷ ଦୃଷ୍ଟିଗୋଚର ହୁଏ । ଯେଉଁ ବୀରରମଣୀ ଏ କାର୍ଯ୍ୟରେ ସେନାପତିତ୍ୱ ଗ୍ରହଣ କରିଥିଲେ, ତାଙ୍କ ନାମ ରାଣୀ ଶୁକ ଦେଈ । ପୃଥିବୀରେ ବୀରପୂଜାର ଗୌରବ ଥିବା ପର୍ଯ୍ୟନ୍ତ ଏହି ରମଣୀଙ୍କର ନାମ ବରାବର ଅମର ହୋଇ ରହିବ ।

ଦୟାନିଧି ଶ୍ରୀଚନ୍ଦନ–୧୭୧୬−୧୭୩୫

ଯୁଦ୍ଧାନ୍ତେ ଦୟାନିଧିଙ୍କର ଅଭିଷେକ ହୋଇଥିଲା । ସେ ବାଳକ ଥିବାରୁ ବ୍ୟବର୍ତ୍ତା ଓ ବକ୍ସି କିଛିକାଳ ଶାସନଭାର ଗ୍ରହଣ କରିଥିଲେ । ଯୁଦ୍ଧରେ ଯେ ସମସ୍ତ କ୍ଷତି ହୋଇଥିଲା, ସେ ସବୁ ପୂରଣ କରିବାରେ ଏହାଙ୍କର ଅଧିକାଂଶ ସମୟ କଟି ଯାଉଥିଲା । ରାଜତ୍ୱର ଶେଷ ସମୟକୁ ସେ ଦୟାନିଧୀଶ୍ଵର ନାମକ ମହାଦେବଙ୍କ ପ୍ରତିଷ୍ଠା କରି ବସାଇଲେ ।

ପଦ୍ମଭାବ ଶ୍ରୀଚନ୍ଦନ–୧୭୩୫−୧୭୫୭

ପାଟପୁର ମୌଜାସ୍ଥ ପଦ୍ମନାଭ ପୁର ଶାସନ ଏ ରାଜାଙ୍କ କୀର୍ତ୍ତି । ଏହି ଶାସନ ବ୍ରାହ୍ମଣମାନଙ୍କ ନିମିତ୍ତ ରାଜା ପାଥପୁର ମୌଜା ନିଷ୍କର ରୂପେ ଦାନ କରିଥିଲେ । ଏହାଙ୍କ ସମୟରେ ଡମ୍ପଡ଼ା ଯୁଦ୍ଧ ହୋଇଥଲା । ମାତ୍ର ପଦ୍ମନାଭ ପ୍ରକୃତରେ ବଡ଼ ଶାନ୍ତିପ୍ରିୟ ଓ କ୍ରୀଡ଼ା−ପରାୟଣ ରାଜା ଥିଲେ ।

ସେ ପଶାଖେଳରେ ତୃପ୍ତ ହୋଇ ଜଣେ ବ୍ରାହ୍ମଣକୁ ଦଶମାଣ ଜମି ଦାନ କରିଥିଲେ ବୋଲି ଲୋକେ କହନ୍ତି ।

 

ଫକୀର ଶ୍ରୀଚନ୍ଦନ–୧୭୫୭−୧୭୮୬

ଫକୀର ପରମ ବୈଷ୍ଣବ ଥିଲେ । ନରଗାଙ୍ଗ ଗଡ଼ରେ ଗୋଟିଏ ମନ୍ଦିର ନିର୍ମାଣକରି ଶ୍ରୀଚୈତନ୍ୟ ଜୀଉଙ୍କୁ ପ୍ରତିଷ୍ଠା କରାଇଥିଲେ । ରଗଡ଼ୀରେ ମହିମାମଣିଙ୍କ ମନ୍ଦିରର ମୂଳ ପତ୍ତନ ଏହାଙ୍କ ରାଜତ୍ୱରେ ହୋଇଥିଲା ।

ବ୍ରଜବିହାରୀ ଶ୍ରୀଚନ୍ଦନ–୧୭୮୬−୧୮୧୩

ପିତାଙ୍କ ଅନ୍ତେ ବ୍ରଜବିହାରୀ ରାଜା ହେଲେ । ଏହାଙ୍କ ସମୟରେ ବୋଧହୁଏ ସନନ୍ଦର କାଳ ପୂରିଯିବାରୁ ପୁନଶ୍ଚ ଗଜପତିଙ୍କ ରାଜା ସଭାରୁ ସନନ୍ଦ ମିଳିଥିଲା । ପ୍ରସିଦ୍ଧ ମହିମାମଣିଙ୍କ ମନ୍ଦିର ଏହାଙ୍କ ରାଜତ୍ୱ କାଳରେ ସମ୍ପୂର୍ଣ୍ଣ ରୂପେ ନିର୍ମିତ ହୋଇଥିଲା । ସେ ଚୈତନ୍ୟ ଦେବଙ୍କୁ ନରଗାଙ୍ଗରୁ ଅଣାଇ ବାଙ୍କୀ ଗଡ଼ରେ ବିଜେ କରାଇଥିଲେ । ବୈଦ୍ୟେଶ୍ଵର ବ୍ରଜବିହାରୀ−ପୁର ଶାସନ ଏ ରାଜାଙ୍କ କୀର୍ତ୍ତି ମଧ୍ୟରେ ଅନ୍ୟତମ । ବ୍ରଜବିହାରୀଙ୍କ ବିଷୟରେ ଆମ୍ଭେମାନେ ଯେ ସବୁ ବୃତ୍ତାନ୍ତ ପାଇଅଛୁଁ ତନ୍ମଧ୍ୟରୁ କେତୋଟି ବିଷୟ ଉଲ୍ଲେଖ ଯୋଗ୍ୟ । ଯଥା:− ଦେବାର୍ଚ୍ଚନ, ଦେବଦର୍ଶନ ଓ ଉଦ୍ୟାନ କମି ପ୍ରଭୃତି ।

ଦେବାର୍ଚ୍ଚନା :–

ଜନଶ୍ରୁତି ଅଛି ଯେ ରାଜା ବ୍ରଜବିହାରୀ ଶ୍ରୀଚନ୍ଦନ ଅତି ପ୍ରତ୍ୟୁଷରୁ ସ୍ନାନ କରି ଦେବାର୍ଚ୍ଚନ କରନ୍ତି । ସେ ସମୟରେ ଆଶୀର୍ବାଦ କରିବାପାଇଁ ଶାସନମାନଙ୍କରୁ କେତେକ ବ୍ରାହ୍ମଣ ଉପସ୍ଥିତ ହେଉଥିଲେ । ପ୍ରବଳ ଶୀତରେ କେହି କେହି ସ୍ନାନ ନ କରି ଆସୁଅଛନ୍ତି ବୋଲି ଜାଣିପାରି କେତେକ ଲୋକ ତାହା ଛାମୁରେ ଜଣାଇ ଦେଲେ । ରାଜା ବଡ଼ ପଣ୍ଡିତ ଓ ବିବେକବାନ୍ ସୁତରାଂ କିଛି ନକହି ପରଦିନ ଗୋଟିଏ ଭୋଜିର ଯୋଗାଡ଼ କଲେ । ଦେବାର୍ଚ୍ଚନ ପରେ ଭୋଜନ କରିବାପାଇଁ ବ୍ରାହ୍ମଣମାନଙ୍କୁ ଅନୁରୋଧ କରାଗଲା । ଆଦେଶମତେ ସମସ୍ତେ ସଜ୍ଜିତ ହେଲେ । ମାତ୍ର ଅଶୁଚି ବ୍ରାହ୍ମଣମାନଙ୍କ ଅବସ୍ଥା ସମସ୍ତ ଜଣାପଡ଼ିଲା । ରାଜା ଜାଣିପାରି ସେମାନଙ୍କୁ ନାନାଦି ଭର୍ତ୍ସନା କଲେ-। ସ୍ନାନାନ୍ତେ ଭୋଜି ସମାପ୍ତ ହେଲା । ବ୍ରାହ୍ମଣମାନେ ଆନନ୍ଦରେ ଫେରିଲେ । ଗ୍ରାମରେ ସେ କଥା ପଡ଼ିଲା । ରାଜଗୁରୁ ସମସ୍ତଙ୍କୁ ପଚାରି ଜାଣି ପାରିଲେ ଯେ, ପାଞ୍ଚଜଣ ମାତ୍ର ଏକାଣ୍ଡ ଘଟାଇଛନ୍ତି; ସୁତରାଂ ସେମାନଙ୍କୁ ତତ୍‍କ୍ଷଣାତ୍ ସାମାଜିକ ଦଣ୍ଡ ବିଧାନ କରାଗଲା । ସେହି ଦିନଠାରୁ ବ୍ରାହ୍ମଣମାନେ ସାବଧାନ ହୋଇଗଲେ ।

ଦେବଦର୍ଶନ :–

ଦେବାର୍ଚ୍ଚନ ପରେ ରାଜା କନକଦୁର୍ଗା ଓ ଚୈତନ୍ୟ ମହାପ୍ରଭୁଙ୍କ ଦର୍ଶନ କରନ୍ତି । ପ୍ରତି ସୋମବାର ଦିନ ମହିମାମଣି ଚର୍ଚ୍ଚିକା ଠାକୁରାଣୀ ଏବଂ ସିଂହନାଥଙ୍କୁ ଦର୍ଶନ କରି ରାଜଗୁରୁଙ୍କ ଘରେ ଯୋଗାଣ କରନ୍ତି । ଗଉଡ଼ମାନେ ଦେବତାଙ୍କ ଘରେ ଖାନ୍ତି । ସେଥିଲାଗି ଭାତ ବିଲ ଓ ତିଅଣ ବିଲ ଖଞ୍ଜା ଅଛି । ରାଜଗୁରୁଙ୍କ ଝିଅ ପିତେଈ ନାନୀ ଓ ରୁକ୍ମଣୀ ନାନୀ ବଡ଼ ସୁନ୍ଦର ପାକ କରି ପାରନ୍ତି । ଦିନେ ନାନୀମାନେ ସରୁଚକୁଳି ଓ ଛିଞ୍ଚିପତ୍ର କରିଥିଲେ, ତାହା ଏତେ ସୂକ୍ଷ୍ମ ହୋଇଥିଲା ଯେ ରାଜାଙ୍କ ହାତରୁ ଆକାଶକୁ ଉଡ଼ିଗଲା । ରାଜା ଏଥିରେ ଭାରି ତୃପ୍ତ ହୋଇ ନାନୀମାନଙ୍କୁ ଦଶମାଣ ଜମି ଖଞ୍ଜି ଦେଇଥିଲେ । ରାଜଗୁରୁଙ୍କ ଦ୍ଵାରରେ ବର୍ତ୍ତମାନ ଯେ କଳାମୁଗୁନି ପଥର ପିଢ଼ା ଅଛି, ସେଥିରେ ରାଜାଙ୍କର ସାମୟିକ ଦେହପାଣି ବଢ଼ୁଥିଲା ବୋଲି ଲୋକେ କହନ୍ତି । ବ୍ରାହ୍ମଣ ଯୁବକମାନଙ୍କୁ ରାଜା ଏହି ପିଢ଼ା ଟେକିବାକୁ ବାରମ୍ବାର ଉତ୍ସାହିତ କରୁଥିଲେ । ଶୀତଳଷଷ୍ଠୀ ଯାତ୍ରାରେ ନିଜେ ବାଣ ତୟାର କରିବାପାଇଁ ଉତ୍ସାହ ଦେଉଥିଲେ ଏବଂ ହାବିଳୀମାନ ଲଗାଇ ବିଶେଷ ଆମୋଦ ଅନୁଭବ କରୁଥିଲେ । ସିଂହନାଥଙ୍କ ନିକଟକୁ ବିଜେ କଲା ବେଳେ ସବାରି କବାଟ ପକାଇ ଦେଉଥିଲେ ; କାରଣ, ପଥ ମଧ୍ୟରେ ଥିବା ଫସଲରେ ରାଜାଦୃଷ୍ଟି ପଡ଼ିଲେ ଖରାପ ହେବ ବୋଲି ଲୋକଙ୍କର ଧାରଣା ଥିଲା ।

ଉଦ୍ୟାନକର୍ମ୍ମ :–

ରାଜା ବେହରଣ ଅଗଣାରେ ଗୋଟିଏ କ୍ଷୁଦ୍ର ଉଦ୍ୟାନ କରିଥିଲେ । ସେଥିରେ ଦଶ ପାଞ୍ଚ ବୁଦା ବାଇଗଣଲାଗିଥିଲା । ଦିନେ ବାଇଗଣ ଗଛ ମୂଳରୁ ଘାସ ବାଛିବା ସମୟରେ ବ୍ୟବର୍ତ୍ତା ଗୋବିନ୍ଦଶରଣ ପଟ୍ଟନାୟକ ରାଜାଙ୍କୁ ଦେଖି ହସି ଦେଇ ଚାଲିଗଲେ ।

 

ରାଜା ସେହିକ୍ଷଣି ବ୍ୟବର୍ତ୍ତାଙ୍କୁ ଡାକି ହସିବାର କାରଣ ପଚାରିଲେ । ବ୍ୟବର୍ତ୍ତା ନାନା ପ୍ରକାର ଛଳନା କଲେ ମଧ୍ୟ ରାଜା କହିଲେ, “ତୁମେ ଏପରି ଭଣ୍ଡାମି କଲେ ମୁଁ କଦାପି ମାନିବା ନାହିଁ-। ତୁମେ ମୋ ଘାସ ବଛା ଦେଖି ବରାବର ହସିଛ ।’’ ବ୍ୟବର୍ତ୍ତା କହିଲେ, “ଆଜ୍ଞା, ଛାମୁଙ୍କ ଉପଯୋଗୀ କ’ଣ ଏ କାର୍ଯ୍ୟ ? ବର୍ତ୍ତମାନ ଚାହିଁଲେ ପଚାଶ ଶଗଡ଼ ବାଇଗଣ ଆସିପାରେ । ମାତ୍ର ଛାମୁ ତତ୍‍ପ୍ରତି ଲକ୍ଷ୍ୟ ନ ରଖି ରାଜୋଚିତ ମର୍ଯ୍ୟାଦା ଲଙ୍ଘନ କରି ଇତର ଲୋକଙ୍କ ଭଲି ଘାସ ବାଛୁଛନ୍ତି ? ରାଜା କହିଲେ, “ଠିକ୍ କଥା, ଯଦି ମୋର ଇଚ୍ଛା ହୁଏ ମୁଁ ଗୋଟିଏ ସଦ୍ୟ ସୁସ୍ଵାଦୁ ବାଇଗଣ ଭାଜି ଖାଆନ୍ତି, ତେବେ ହଠାତ୍ କ’ଣ ମୋତେ ତାହା ମିଳି ପାରିବ ? ତୁମେ ସିନା ମୋ ଆଦେଶରେ ପ୍ରଜାମାନଙ୍କ ଠାରୁ ପଚାଶ ଶଗଡ଼ ବାଇଗଣ ଆଣି ଦେବ । ମାତ୍ର ଏ ବାଇଗଣ ଆଗରେ ସେ ଗୁଡ଼ାକ ସୁସ୍ଵାଦୁ କିମ୍ବା ମିଷ୍ଟ ହେବ କି ? ସେଥିରେ ହସିବାର ତ କିଛି କାରଣ ନାହିଁ । ପ୍ରତ୍ୟେକ ଏହିପାରି କିଛି କିଛି ଫସଲ କରିବା ଉଚିତ ।’’ ବ୍ୟବର୍ତ୍ତା ଏ କଥା ଶୁଣି ନୀରବ ହେଲେ ।

 

କିଛିଦିନ ପରେ ବାଇଗଣ ଗଛମାନଙ୍କରେ ବଡ଼ ଭଲ ଭଲ ବାଇଗଣ ଫଳିଲା । ରାଜାଙ୍କ ଯୋଗଣିଆ ବ୍ରାହ୍ମଣ କମଳ ସୁଆର ଦିନେ ନିଜ ରୋଷେଇର ଚମତ୍କାରିତା ଦେଖାଇବାପାଇଁ ସେହି ବାଇଗଣ ବାଡ଼ିରେ ଗଛରେ ଲାଗିଥିବା ଗୋଟିଏ ବାଇଗଣରେ ଚାରିତରକାରୀ କରି ଦେଇଛି । ରାଜା ଏ ସମସ୍ତ ଘଟନା ପ୍ରତ୍ୟକ୍ଷ କରି ବଡ଼ ଆଶ୍ଚର୍ଯ୍ୟ ହେଲେ ଏବଂ ବ୍ୟବର୍ତ୍ତା ଓ ଅନ୍ୟାନ୍ୟ ରାଜପରିଷଦମାନେ ଏ ବିଷୟ ଦେଖି କମଳକୁ ଧନ୍ୟ ଧନ୍ୟ କରିବାକୁ ଲାଗିଲେ । ସମସ୍ତେ ଦେଖିଲେ, ଗୋଟିଏ ବଡ଼ ଉମେଇରେ ନିଆଁ ଅଛି ଓ ସେଥିରେ ସାନ ସାନ ଚାରୋଟି ପାତ୍ରରେ ବାଇଗଣଟି ଚାରିଭାଗ ହୋଇ ଚାରି ତରକାରୀ ହୋଇଯାଇଛି । ରାଜା ଯୋଗଣିଆର ଏ କାର୍ଯ୍ୟରେ ପ୍ରୀତ ହୋଇ ତାକୁ ଦଶମାଣ ଜମି ଓ “କମଳ ବେଦବ୍ୟାସ’’ ଉପାଧି ଦେଇଥିଲେ । ଆହୁରି ମଧ୍ୟ ପ୍ରଚୁର ଅର୍ଥ ଓ ବସ୍ତ୍ର ଅଳଙ୍କାର ପ୍ରଭୃତି କମଳକୁ ମିଳିଲା ।

ପୀତାମ୍ବର ଶ୍ରୀଚନ୍ଦନ :–(୧୮୧୩−୧୮୨୮)

ରାଜା ପୀତାମ୍ବର ମହାପ୍ରତାପଶାଳୀ ଓ ବିଶେଷ ଦେବ, ବ୍ରାହ୍ମଣ ଭକ୍ତ ଥିଲେ, କାହାରି କିଛି ଅନ୍ୟାୟ ଦେଖିଲେ ତାକୁ ଗୁରୁତର ଭାବେ ପ୍ରହାର କରୁଥିଲେ; ଏବଂ ସଙ୍ଗେ ସଙ୍ଗେ ସେହି ପ୍ରହାରଜନିତ ପୀଡ଼ାର ଉପସମ ନିମନ୍ତେ, ତେଲ, ହଳଦୀ, ପଇସା, କଉଡ଼ୀ ପ୍ରଦାନ କରୁଥିଲେ । ଏହାଙ୍କ ରାଜତ୍ୱ କାଳରେ ଚର୍ଚ୍ଚିକାଙ୍କ ଶୂନ୍ୟବାହିନୀ ମଣ୍ଡପ ନିର୍ମିତ ହୋଇଥିଲା । ସେଥିରେ ଏତେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଅଛି ଯେ ବର୍ତ୍ତମାନ ତାହା ଦେଖିଲେ ଆଶ୍ଚର୍ଯ୍ୟାନ୍ଵିତ ହେବାକୁ ହୁଏ । ଠାକୁରାଣୀଙ୍କ ତଳ ମଣ୍ଡପ ମଧ୍ୟ ଏହି ରାଜାଙ୍କ କୀର୍ତ୍ତି । ଏହି ରାଜାଙ୍କର ଏକ ପାତ୍ର ବଣିଆଁ ବକ୍ସି ଠାକୁରାଣୀଙ୍କ ନିକଟସ୍ଥ କୁସୁମେଶ୍ଵର ମନ୍ଦିର ଓ ଉତ୍ତର ପାଖ ପାହାଚ ପ୍ରସ୍ତୁତ କରାଇଥିଲେ । ପୀତାମ୍ବର ଗୁଣଗ୍ରାହୀ, ମଲ୍ଲକ୍ରିଡ଼ା−ବିଶାରଦ ଥିଲେ । ଏ ଦୁଇ କାର୍ଯ୍ୟରେ ସେ ବିଶେଷ ପରାଗ ବୋଲି ଆଜି ସୁଦ୍ଧା ଲୋକେ କହନ୍ତି । ଏହାଙ୍କ ରାଜତ୍ୱ କାଳରେ ମହିମାମଣିଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିଲା ।

 

ଦିନେ ରାଜା ପାଟପୁର ଖମାର ଦେଖିବା ଅଭିଳାଷରେ ଆସିଥିଲେ । ଜଣେ ଗରିବ ବ୍ରାହ୍ମଣ ରାଜାଙ୍କୁ ସାକ୍ଷାତ କରିବା ଅଭିପ୍ରାୟରେ ଗୋଟିଏ ଓସାରିଆ ଆମ୍ବ ପାତ୍ର ନେଇଗଲେ, ଛାମୁରେ ତାହା ଉପହାର ଦେଇ ଆଶୀର୍ବାଦ କଲାପରେ ରାଜା ଆସିବାର କାରଣ ପଚାରିଲେ । ପୁଅଟିର ଉପନୟନ ନିମିତ୍ତ ବ୍ରାହ୍ମଣ କିଛି ସାହାଯ୍ୟ ଭିକ୍ଷା କରନ୍ତେ ରାଜା ଆନନ୍ଦରେ ସେ ସମସ୍ତ ସାମଗ୍ରୀ ଯୋଗାଇ ଦେଲେ ।

 

ପଦ୍ମନାଭପୁର ଶାସନରେ ରାୟଗୁରୁବଂଶଜ ଜଣେ ବ୍ରାହ୍ମଣ ଅତିଶୟ ମଲ୍ଲବିଦ୍ୟାନିପୁଣ ଥିବାର ରାଜା ଶୁଣି ପାରିଲେ । ବ୍ରାହ୍ମଣକୁ କିପରି ପରୀକ୍ଷା କରିବେ ଭାବି ତାଙ୍କୁ ଦିନେ ଡକାଇନେଇ ସିଂହନାଥ ଦେବଙ୍କ ନିକଟରେ ବରଣ କରାଇ ଦେଲେ । ଦୁଇ ଚାରି ଦିନପରେ ଦିନେ ଦେବ ଦର୍ଶନ ବାହାନାରେ ସେଠାରେ ଯାଇ ପହଞ୍ଚିଲେ । ବ୍ରାହ୍ମଣ ଉପର ମଣ୍ଡପରେ ବସି ଜପ କରୁଛନ୍ତି, ରାଜା ହଠାତ୍ ତାଙ୍କ ଚକା ଉପରେ ବସିଗଲେ । ବ୍ରାହ୍ମଣ କିଛି ସମୟ ଅପେକ୍ଷା କରି ଏପରି ଭାବରେ ରାଜାଙ୍କୁ ଛିଞ୍ଚାଡ଼ି ଦେଲେ ଯେ, ରାଜାପାଇଁ ପାଞ୍ଚହାତ ଅନ୍ତରରେ ପଡ଼ିଲେ । ସେହିକ୍ଷଣି ସେ ବ୍ରାହ୍ମଣଙ୍କ ଉପରେ ତୃପ୍ତହୋଇ ପଚାରିଲେ, “ଆପଣ କ’ଣ ଖାନ୍ତି ?” ବ୍ରାହ୍ମଣ ଉତ୍ତର କଲେ “ଛାମୁଙ୍କ ରାଜ୍ୟରେ ମୁଁ ଗୋଟିଏ ନିତାନ୍ତ ଗରିବ ବ୍ରାହ୍ମଣ । ଭାତ ପାଖକୁ ଲୁଣ ବ୍ୟତୀତ ମୋତେ ଆଉ କିଛି ମିଳେ ନାହିଁ ।’’ ରାଜା ସେହି କ୍ଷଣି ତାଙ୍କୁ ଘିଅ ଖାଇବାପାଇଁ ୫ ମାଣ ଜମି ଖଞ୍ଜି ଦେଲେ । ବର୍ତ୍ତମାନ ତାଙ୍କ ଉତ୍ତରାଧିକାରୀମାନେ ସେ ଜମି ଭୋଗ କରୁଅଛନ୍ତି ।

ଜଗନ୍ନାଥ ଶ୍ରୀଚନ୍ଦନ–(୧୮୨୮−୧୮୪୦)

ପୁଣ୍ୟଶ୍ଳୋକ ପୀତାମ୍ବର ନିଃସନ୍ତାନ ଥିଲେ । ଏହାଙ୍କ ବିୟୋଗ ପରେ ବାଙ୍କୀରେ ରାଜଗାଦୀ ଶୂନ୍ୟ ପଡ଼ିଲା । ପାତ୍ର ଓ ବକ୍ସି ରାଣୀଙ୍କ ପରାମର୍ଶମତେ ଡମ୍ପଡ଼ା ତାଳବସ୍ତ ପୁଟସାହୀ ନିବାସୀ ଧଳବଂଶଜ ଜଗନ୍ନାଥଙ୍କୁ କପା କୋଡ଼ିବାଠାରୁ ଘେନିଆସି ରାଜଗାଦୀରେ ବସାଇଦେଲେ । ଏହାଙ୍କ ସମୟରେ ତିଗିରିଆ ଯୁଦ୍ଧ ଓ ବାଙ୍କୀ ସ୍ଵାଧୀନତା ଲୋପ ଏ ଦୁଇଟି ପ୍ରଧାନ ଘଟନା ।

ତିଗିରିଆ ଯୁଦ୍ଧ–

ତିଗିରିଆ ଓ ବାଙ୍କୀର ଦୋସୀମାଳି ବାଉଁଶପୁଟ ଗଡ଼ । ସେଥିଲାଗି ଉଭୟ ରାଜାଙ୍କର ମନୋମାଳିନ୍ୟ ହୋଇଥିଲା । ସେ କଳହ ଏପରି ଭୀଷଣ ଭାବେ ସଂକ୍ରମିତ ହେଲା ଯେ ଉଭୟେ ଏଥିଲାଗି ଯୁଦ୍ଧ ଘୋଷଣା କଲେ । ବାଙ୍କୀ ରାଜାଙ୍କ ପକ୍ଷରୁ ରଘୁନାଥ ପରମଗୁରୁ ନାମକ ଜଣେ ବ୍ରାହ୍ମଣ ଓ ଲୋକନାଥ ପାଇକରାୟ ନାମକ ଜଣେ କ୍ଷତ୍ରିୟ ଯୁଦ୍ଧ ଚଳାଇଥିଲେ । ଏହି ଯୁଦ୍ଧରେ ତିଗିରିଆର ପ୍ରସିଦ୍ଧ ଗ୍ରାମ ନୂଆପାଟଣା ଛାରଖାର ହୋଇଥିଲା ଏବଂ ବାଙ୍କୀ ସୈନ୍ୟମାନେ ଅନେକ ପାଟଲୁଗା ଓ ଅଳଙ୍କାର ବିଜିତ ଦ୍ରବ୍ୟରୂପେ ଘେନି ଆସିଥିଲେ । ୧୮୩୮ ଖ୍ରୀଷ୍ଟାବ୍ଦରେ ଉଭୟ ରାଜାଙ୍କ ମଧ୍ୟରେ ସନ୍ଧି ସ୍ଥାପିତ ହେବାରୁ ଉଭୟେ ନିଜ ନିଜ ରାଜ୍ୟ ଫେରି ପାଇଲେ ।

•••

 

ଚତୁର୍ଥ ଅଧ୍ୟାୟ

ସରଣ୍ଡା ଓ ଡମ୍ପଡ଼ାର ରାଜବଂଶାବଳୀ

 

ସରଣ୍ଡା

 

ଗମେଇଁ ଧଳଙ୍କ ମଧ୍ୟମ ପୁତ୍ର ନରସିଂହ ସାମନ୍ତରାୟଙ୍କ ଠାରୁ ଡମ୍ପଡ଼ା ରାଜବଂଶ ଆରମ୍ଭ ଏବଂ ନରସିଂହଙ୍କ ମଧ୍ୟମ ପୁତ୍ର ତ୍ରିଲୋଚନ ଗଜେନ୍ଦ୍ରଙ୍କଠାରୁ ସରଣ୍ଡା ରାଜବଂଶର ସୂତ୍ରପାତ ହୋଇଥିଲା । ନିମ୍ନରେ ସରଣ୍ଡା ରାଜବଂଶାବଳୀ ପ୍ରଦତ୍ତ ହେଲା :–

Image

 

ଦାସ ଧଳଙ୍କୁ ପୀତାମ୍ବର ଶ୍ରୀଚନ୍ଦନ ପୋଷ୍ୟପୁତ୍ର କରିଥିଲେ । ମାତ୍ର ସେ ରାଜା ହୋଇ ନାହାନ୍ତି ।

 

ସରଣ୍ଡା ରାଜାମାନଙ୍କ ବିଷୟରେ ଆମ୍ଭେମାନେ କିଛି ବିଶେଷ ବିବରଣୀ ପାଇନାହୁଁ । ଲୋକେ କହନ୍ତି ଏ ରାଜ୍ୟର ରାଜାମାନେ ବଡ଼ ପ୍ରତାପଶାଳୀ ଓ ଯୁଦ୍ଧ−ବିଶାରଦ ଥିଲେ । ଏ ରାଜ୍ୟରେ କଂସାର କବାଟ ଥିଲା । ପ୍ରବାଦ ବାଙ୍କୀର କୌଣସି ରାଜା ଈର୍ଷାପରାୟଣ ହୋଇ ଏ ରାଜବଂଶ ଲୋପକରିବା ଇଚ୍ଛାରେ ରାଜାଙ୍କୁ ଅଂଶୁପାରେ ବୁଡ଼ାଇ ମାରି ଦେଇଥିଲେ । ଘଟନାଟି କେତେଦୂର ସତ୍ୟ କୁହାଯାଇ ନ ପାରେ ।

 

ବାଙ୍କୀ, ଡମ୍ପଡ଼ା ଓ ସରଣ୍ଡା ପରସ୍ପରର ରକ୍ତ ସଂପର୍କ ଥିବାରୁ ଏଠାରେ ରାଜବଂଶାବଳୀମାନ ପ୍ରଦତ୍ତ ହେଉଅଛି ।

 

ଡମ୍ପଡ଼ା

 

Image

ବିବୁଧେନ୍ଦ୍ର ନାବାଳକ ଅବସ୍ଥାରେ ବୁଡ଼ି ମରି ଯାଇଥିଲେ । ରାଜମାତା ଢେଙ୍କାନାଳ ରାଜବଂଶୀୟ ଜଣେ ରାଜକୁମାରଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଅଛନ୍ତି । ତାଙ୍କ ନାମ ଅମରେନ୍ଦ୍ର ମାନସିଂହ ଭ୍ରମରବର ରାୟ । ଏ କାର୍ଯ୍ୟରେ ଡମ୍ପଡ଼ାର ରାଜବଂଶୀୟ କେତେକ ଲୋକ ଅସନ୍ତୁଷ୍ଟ ହୋଇ ଗୋଟିଏ ମକଦ୍ଦମାର ଯୋଗାଡ଼ କରିଥିଲେ; କିନ୍ତୁ ପରିଶେଷରେ ସେମାନଙ୍କର ସମସ୍ତ ଚକ୍ରାନ୍ତ ନିଷ୍ଫଳ ହେଲା ଓ ରାଜମାତା ପ୍ରିଭି−କାଉନ୍‍ସି୍ଲରେ ଡିଗ୍ରୀ ପାଇଲେ ।

•••

 

ପଞ୍ଚମ ଅଧ୍ୟାୟ

ବାଙ୍କୀ ସ୍ଵାଧୀନତା ଲୋପ ଓ ଇଂରେଜ ସରକାର

 

ଜଗନ୍ନାଥ ଶ୍ରୀଚନ୍ଦନ ରାଜସିଂହାସନ ଆହୋରଣ କଲା ଦିନୁ ବାଙ୍କୀର ଦୁର୍ଭାଗ୍ୟ ଘୋଟି ଆସିଲା । ରାଜ୍ୟର ଆଭ୍ୟନ୍ତରୀଣ ଉନ୍ନତି ନିମିତ୍ତ ଏହାଙ୍କର ଆଦୌ ଯତ୍ନ ନ ଥିଲା । ବରଂ ଯେତେ ପ୍ରକାର ଅନ୍ୟାୟ ଉପଦ୍ରବ, ସମସ୍ତର ସୂତ୍ରପାତ ହେଲା । କାହା ଘରେ ବହୁତ ଧନ ଦଉଲତ ଅଛି, କିଏ ରାଜାଙ୍କୁ ପଛରେ ନିନ୍ଦା କରୁଛି, ଏସବୁ ବିଷୟ ଚୁଗୁଲିଆମାନଙ୍କଠାରୁ ଶୁଣିପାରି ରାଜା ଅଗ୍ନିଶର୍ମା ହୋଇ ପଡ଼ୁଥିଲେ । ପୁଣି ବକ୍ସି ଓ ଅନ୍ୟାନ୍ୟ କେତେକ ପାତ୍ର ପଳାଶୁଣି ବୈଦ୍ୟଙ୍କ ପରାମର୍ଶ−ମତେ ଏକ ପ୍ରକାର ମୋଦକ ରାଜାଙ୍କୁ ଖାଇବାକୁ ଦେଇ ମୂକ କରିଦେଲେ । ମନ୍ଦ ଲୋକଙ୍କ ସଂସର୍ଗରେ ପଡ଼ି ରାଜାଙ୍କର ଆଉ ମତିଗତି କିଛି ଠିକ୍ ରହିଲା ନାହିଁ । ବାସ୍ତବରେ ରାଜା ନିଶା ଖାଇ ବିବେକହୀନ ହୋଇ ପଡ଼ିଲେ । ପୁଣି ନବଗୁଞ୍ଜରବତୀ ଥିବାରୁ ତାଙ୍କର ରସିକତା ମଧ୍ୟ ବଢ଼ି ଯାଇଥିଲା । ଏଥିଲାଗି ମଧ୍ୟ ରାଜକୋଷରୁ ପ୍ରଚୁର ଅର୍ଥ ବ୍ୟୟିତ ହେଉଥିଲା । ଏଥିରେ ରାଜ୍ୟର ପ୍ରଧାନ ପ୍ରଧାନ ରାଜପୁରୁଷମାନେ ଆନ୍ତରିକ ବିରକ୍ତ ହୋଇଥିଲେ । ମାତ୍ର ଏଥିପ୍ରତି ରାଜାଙ୍କର ଆଦୌ ଦୃଷ୍ଟି ନ ଥିଲା । କ୍ରମେ ଚୁଗୁଲିଆମାନେ ପ୍ରଶୟ ପାଇ ଜଗନ୍ନାଥଙ୍କୁ ନିଜର ହସ୍ତପୁତ୍ତଳିକା ପରି କରିନେଲେ । ସେମାନଙ୍କ କଥାକୁ ରାଜା ଶିବ−ନିର୍ମାଲ୍ୟ ପରି ମୁଣ୍ଡରେ ମୁଣ୍ଡାଇବାକୁ ବାଧ୍ୟ ହେଉଥିଲେ ।

 

ପୂର୍ବେ ଯେଉଁ ରଘୁନାଥ ପରମଗୁରୁଙ୍କ ବିଷୟ ଉଲ୍ଲେଖ କରା ଯାଇଅଛି, ଚୁଗୁଲିଆମାନେ ତାଙ୍କ ବିଷୟରେ ନାନା କୁକଥା ରାଜାଙ୍କୁ କହିଲେ । ପରମଗୁରୁ ମହାବୀର ଥିଲେ । ଏକରକମ ତାଙ୍କ ବାହୁବଳରେ ନିର୍ଭର କରି ରାଜା ରାଜ୍ୟ ଶାସନ କରୁଥିଲେ । ତାଙ୍କ ଉପରେ ଶାସନ ଚଳାଇ ତାଙ୍କୁ ଜବତ କରିବାପାଇଁ ଜଗନ୍ନାଥଙ୍କର ଶକ୍ତି ନ ଥିଲା । ଏଇ ସୁବିଧା ପାଇ ମନ୍ଦ ଲୋକେ ରାଜାଙ୍କୁ ନାନା କୁଶିକ୍ଷା ଦେଲେ । କହିଲେ “ଛାମୁ ବାଙ୍କୀର ଛତ୍ରପତି, ଛାର ବ୍ରାହ୍ମଣ ଟୋକାଟା ଛାମୁଙ୍କ ଅନ୍ତେ ରାଜସିଂହାସନ ଅଧିକାର କରିବ ବୋଲି ନାନପ୍ରକାର ଷଡ଼ଯନ୍ତ୍ର କରୁଛି । ଏପରି କି ଛାମୁଙ୍କ ବିନାଶ ସାଧନ ନିମିତ୍ତ ନାନା ପ୍ରକାର ବିଷ ଓ ଜଡ଼ିବୁଟି କରୁଥିବାର ଆମ୍ଭେମାନେ ସନ୍ଧାନ ପାଇଛୁ। ଏସବୁ କଥା ଶୁଣି ରାଜା ଆହୁରି କ୍ରୋଧାନ୍ଵିତ ହେଲେ । ଦିନେ ସେହି ଚୁଗୁଲିଆମାନଙ୍କ ମଧ୍ୟରୁ କେତେ ଜଣ ଗୋଟିଏ ନାଗସାପମୁଣ୍ଡ ନେଇ ରାଜାଙ୍କୁ ଦେଖାଇ କହିଲେ, ‘‘ମହାରାଜା, ଦେଖନ୍ତୁ ପରମଗୁରୁ ଛାମୁଙ୍କ ବିନାଶ ନିମିତ୍ତ ନାଗସାପ−ମୁଣ୍ଡମାନ ଚାଳରେ ଖୋସି ରଖିଛି ।’’ ରାଜା ସେହିକ୍ଷଣି ପ୍ରକୃତ ଘଟନା ବୁଝିବାପାଇଁ ଲୋକ ପଠାଇ ଦେଲେ । ଅନୁଚରମାନେ ପରମଗୁରୁଙ୍କ ଅଜ୍ଞାତରେ ତାଙ୍କ ଘରମାନ ଖୋଜି ପ୍ରାୟ ୫/୬ ଟି ନାଗମୁଣ୍ଡ ଆଣି ରାଜାଙ୍କୁ ଦେଲେ । ଏଥିରେ ଶ୍ରୀଚନ୍ଦନଙ୍କ କ୍ରୋଧର ସୀମା ରହିଲା ନାହିଁ । ଏହିପରି ମନ୍ଦ ଲୋକେ ରାଜାଙ୍କୁ ନାନାଦି କୁଶିକ୍ଷା ଦେଇ ବାଙ୍କୀର ପତନ ଆରମ୍ଭ କରିଥିଲେ । ପୁଣି ଏତିକି ବେଳେ ଆଉ ଗୋଟିଏ ଘଟନା ଘଟି ରାଜାଙ୍କ କ୍ରୋଧ ଦ୍ଵିଗୁଣିତ କରିଦେଲା । ତାହା ଏହି :–

 

ରାଜାଘର ହଳିଆମାନେ ପ୍ରରୋଚନାରେ ପଡ଼ି ରଙ୍ଗିଦଶମାଣ ଓ ବାଲିଆମାଳର କେତେକ ଧାନ ଜବରଦସ୍ତ କାଟିନେଇ ଖମାରଭୁକ୍ତ କଲେ । ଏ ଜମିଗୁଡ଼ିକ ରାଜଗୁରୁଙ୍କର ଦାନଜମି । ରାଜଗୁରୁ ସବୁବେଳେ ଗଡ଼ରେ ଥାନ୍ତି । ଘରର ସ୍ତ୍ରୀଲୋକମାନେ ଏ ସଂବାଦ ପାଇ ବ୍ୟସ୍ତ ହୋଇ ପଡ଼ିଲେ । ସାନ ପୁଅକୁ ଏ ସଂବାଦ ଦେବାଲାଗି ଗଡ଼କୁ ପଠାଇଦେଲେ । ବାଳକଟି ଗଡ଼କୁ ଯାଇ ପିତାଙ୍କର କୌଣସି ସଂବାଦ ପାଇ ନ ପାରି ସିଂହଦ୍ଵାର ମୁହଁରେ ଠିଆ ହୋଇଥାନ୍ତି, ଏହି ସମୟରେ ପରମଗୁରୁ ସେଠାରେ ପହଞ୍ଚିଲେ । *ସମସ୍ତ ବିଷୟ ବୁଝିନେଇ ସେହିକ୍ଷଣି ଘୋଡ଼ାରେ ବାଳକ ସହିତ ପାଟପୁର ଅଭିମୁଖରେ ଯାତ୍ରା କଲେ । ଖମାର ଖଳାରେ ପ୍ରକୃତ ତଥ୍ୟ ଜାଣିପାରି ହଳିଆମାନଙ୍କୁ ଭୀଷଣଭାବରେ ପ୍ରହାର କଲେ ଏବଂ ସମସ୍ତ ଧାନ ରାଜଗୁରୁଙ୍କ ଖଳାକୁ ନେଇ ଯିବାପାଇଁ ଆଦେଶ ଦେଇ ଗଡ଼କୁ ପ୍ରସ୍ଥାନ କଲେ ।

 

ପରମଗୁରୁ ଗଡ଼ରେ ପହଞ୍ଚିଲା ବେଳକୁ ଦ୍ଵିପ୍ରହର । ସେ କ୍ରୋଧରେ ଘରକୁ ନ ଯାଇ ସଳଖେ ସଳଖେ ଉଆସ ଆଡ଼କୁ ଚାଲିଲେ । ସେତେବେଳକୁ ରାଜା ପହଡ଼ରେ । ପରମଗୁରୁ କାହାରି କଥା ନ ମାନି ପହଡ଼ଠାରେ ରାଜାଙ୍କୁ ନାନାପ୍ରକାର ତିରସ୍କାର କଲେ । ସେ ରାଜାଙ୍କ ଗୌରବ ରକ୍ଷା କରିବାକୁ ଯାଇ ଯେଉଁ ମଧୁର ଭର୍ତ୍ସନା କଲେ ତାହା ତାଙ୍କ ଜୀବନ ବିନାଶ ପକ୍ଷେ ଏକମାତ୍ର ସାହାଯ୍ୟକାରୀ ହୋଇ ପଡ଼ିଲା । ରାଜା ଭୟରେ ତାଙ୍କୁ କିଛି କହିପାରିଲେ ନାହିଁ ସତ୍ୟ; ମାତ୍ର ତାଙ୍କ ମନରେ କ୍ରୋଧାଗ୍ନି ଜଳି ଉଠିଲା । ମନ୍ଦ ଲୋକେ ଯାହା କହୁଥିଲେ, ଏତେ ଦିନେ ତାହା ପ୍ରକୃତ ତଥ୍ୟ ବୋଲି ଜଗନ୍ନାଥ ଜାଣିପାରିଲେ । ସେହି ଦିନଠାରୁ ପରମଗୁରୁଙ୍କର ଅନିଷ୍ଠସାଧନ ଲାଗି ବଦ୍ଧ ପରିକର ହେଲେ ।

 

କିଛି ଦିନ ପରେ ପରମଗୁରୁଙ୍କ ସର୍ବନାଶ ଲାଗି ରାଜା ମତବ୍ୟକ୍ତ କଲେ । ଦୁଷ୍ଟ ଲୋକେ ପୁଣି ଅଧିକ ପ୍ରଶ୍ରୟ ପାଇ ରାଜାଙ୍କୁ ଅତିଶୟ ଉତ୍ତେଜିତ କରିଦେଲେ । କେଉଁ ଦିନ କେତେବେଳେ କିପରି ଭାବରେ ତାଙ୍କର ବଂଶ ଲୋପ କରାଯିବ, ସେଥିପାଇଁ ମଧ୍ୟ ସମୟ ନିରୂପଣ କରାଗଲା । ବ୍ରାହ୍ମଣରକ୍ତ ଭୂମିରେ ପଡ଼ିଲେ ଦୋଷାବହ ବୋଲି ମଧ୍ୟ ରାଜା ତାଙ୍କ ବଂଶକୁ ପାଣିରେ ପୁରାଇ ହାଣିଦେବା ଲାଗି ପ୍ରସ୍ତାବ କଲେ । ପ୍ରଥମେ ଏ କାର୍ଯ୍ୟ କିଏ କରିବ ବୋଲି କଥା ଉଠିଲାରୁ ପାତ୍ରମାନେ ଅସମ୍ମତ ହେଲେ । ଲୋକେ କହନ୍ତି, ପରିଶେଷରେ ଗୋପାଳପୁର ନିବାସୀ ଜଣେ ପାଇକ ଏ କାର୍ଯ୍ୟ କରିବା ଲାଗି ପ୍ରସ୍ତୁତ ହେଲେ । ରାଜା ସେହିକ୍ଷଣି ଆନନ୍ଦରେ ପରମଗୁରୁଙ୍କ ସମସ୍ତ ସଂପତ୍ତି ତାଙ୍କ ନାମରେ ରକ୍ତପଟା ସନଦ କରିଦେଲେ ।

 

* ପରମଗୁରୁ ଓ ରାଜଗୁରୁ ଉଭୟେ ଏକ ଲୋକ ନୁହନ୍ତି । ପରମଗୁରୁ ରାଜ୍ୟର ଦେବାନ ବା ମନ୍ତ୍ରୀ, ରାଜଗୁରୁ ରାଜାଙ୍କର ପ୍ରଧାନ ପୁରୋଧା ବା ଆଚାର୍ଯ୍ୟ ଅଟନ୍ତି । ରାଜାଙ୍କର ଉପନୟନ ବିବାହ ଆଦି କାର୍ଯ୍ୟ ଏହାଙ୍କ କର୍ତ୍ତୃତ୍ୱରେ ହୋଇଥାଏ, ପରମଗୁରୁ ରାଜ୍ୟ ଶାସନ ବିଷୟରେ ରାଜାଙ୍କୁ ବରାବର ପରାମର୍ଶ ଦିଅନ୍ତି ।

 

ସେହି ଦିନ ରାତ୍ରିରେ ରାଜାଙ୍କ ପ୍ରେରିତ ଗୁପ୍ତଚରମାନେ ପରମଗୁରୁଙ୍କ ଗୃହର ଚତୁର୍ଦ୍ଦିଗରେ ଗୋପନ ଭାବରେ ରହିଗଲେ । ରାତ୍ରି ପ୍ରଭାତ ହେଲା । ପରମଗୁରୁଙ୍କ ଦାଣ୍ଡଦୁଆର ଫିଟିବା ସଙ୍ଗେ ସଙ୍ଗେ ତାଙ୍କ ସୌଭାଗ୍ୟ−ରବି ଅସ୍ତମିତ ହେଲା । ସେ ଦିନ ପରମଗୁରୁଙ୍କ ପୁଅର ସ୍ଵନକ୍ଷେତ୍ର । ବ୍ରାହ୍ମଣ ଯୁବକ କେତୋଟି ମାଛ ଧରି ଆନନ୍ଦରେ ଗୃହକୁ ଗଲାବେଳେ ରାଜପରିଚାରମାନେ ତରବାରୀ ଚଳାଇ ଦେଲେ । ଯୁବକ ଆର୍ତ୍ତରବରେ ପିତାଙ୍କୁ ଡାକ ଛାଡ଼ିଲେ । ପରମଗୁରୁ ଆସିଲା ବେଳକୁ ପୁଅର ମୃତଦେହ ପୃଥିବୀ ଚୁମ୍ବନ କରୁଥିଲା । ସେ ବିକଳରେ ଡାକ ଛାଡ଼ିଲେ ଏବଂ ଚାକରମାନଙ୍କୁ ତାଙ୍କ ହାତକୁ ବାଡ଼ିଖଣ୍ଡେ ବଢ଼ାଇଦେବା ଲାଗି ଅନୁରୋଧ କଲେ; ମାତ୍ର ସମୟ କାହିଁ ? ରାଜପରିଚାରମାନେ ତାଙ୍କୁ ଏକାକୀ ଆକ୍ରମଣ କରି ପଛଆଡ଼ୁ ବାନ୍ଧି ପକାଇଲେ । ଦେଖୁ ଦେଖୁ ତାଙ୍କରି ଆଗରେ ପୁଅ, ବୋହୂ, ନାତି, ନାତୁଣୀ ଓ ଚାକର ବାକର ସମସ୍ତଙ୍କୁ ହାଣି ଦିଆଗଲା । ପରମଗୁରୁ କେବଳ ଚିତ୍ରାର୍ପିତ ପରି ଅନାଇଁ ରହିଥାନ୍ତି । ପରିଶେଷରେ ଯେତେବେଳେ ସମସ୍ତଙ୍କ ପ୍ରାଣନାଶ ହେଲା, ରାକ୍ଷସଗଣ ପରମଗୁରୁଙ୍କ ଗଳାରେ ତରବାରୀ ଲଗାଇଦେଲେ । ଏହି ମହାବୀରଙ୍କ ପତନ ସଙ୍ଗେ ସଙ୍ଗେ ବାଙ୍କୀର ସ୍ଵାଧୀନତା ଚିରକାଳପାଇଁ ଲୋପହେଲା । ଏହିଠାରେ ଶ୍ରୀଚନ୍ଦନ ବଂଶ−ଗୌରବ−ଯଜ୍ଞର ପୂର୍ଣ୍ଣାହୁତି ହୋଇଗଲା ।

 

ରାଜସେବକଗଣ ଏହି ପୈଶାଚିକ କାଣ୍ଡ ସାଧନ କରି ପଳାଇ ଗଲେ; ମାତ୍ର ପାପ କେତେ ଦିନ ଲୁଚିରହିବ ? ସେଥିପାଇଁ ଗୋଟିଏ ଉକ୍ତି ଅଛି “ପାପ ପାତାଳରୁ ବାହାରେ ।’’ ପରମଗୁରୁଙ୍କର ଗୋଟିଏ ବିଧବା ଭଗିନୀ ଆତ୍ମଗୋପନ କରି ପଳାଇ ଯାଇ ଖଣ୍ଡପଡ଼ା ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଏ କଥା ଜଣାଇଦେଲେ । କ୍ରମେ କଲେକ୍ଟର ସାହେବ ସବୁ ଜାଣିପାରି ବାଙ୍କୀକୁ ଆସିଲେ । ପ୍ରଥମେ କୌଣସି ପ୍ରକାର ପ୍ରମାଣ ମିଳିଲା ନାହିଁ । ମାତ୍ର ଜନଶ୍ରୁତିରୁ ଜଣାଯାଏ ଯେ, ତୁଲସୀପୁରର ସାହୁଗଣିତା ରାମସେବକ ସିଂହ ରାଜାଙ୍କଠାରେ ଥିବା ପୂର୍ବ ଆକ୍ରୋଶ ପରିଶୋଧ କରିବା ଲାଗି ଯୋଗାଡ଼ କଲେ । ସେ ବିଧବା ପକ୍ଷ ଅବଲମ୍ବନ କରି ମକଦ୍ଦମା ଚଳାଇଲେ । ଯେଉଁମାନେ ଏ କାର୍ଯ୍ୟରେ ରାଜାଙ୍କୁ ସାହାଯ୍ୟ କରିଥିଲେ, ସେମାନେ ବାଧ୍ୟ ହୋଇ ଆତ୍ମସମର୍ପଣ କଲେ । ପରିଚାରମାନଙ୍କ ଦୁର୍ଗତିରେ ଜଗନ୍ନାଥ ଅନନ୍ୟୋପାୟ ହୋଇ ରହିଲେ । ପରିଶେଷରେ ପୁଣି ସେମାନଙ୍କ ପ୍ରରୋଚନାରେ ‘ମୁଁ ସ୍ଵହସ୍ତରେ ଏ କାର୍ଯ୍ୟ କରିଛି’ ବୋଲି ସ୍ଵୀକାର କଲେ । ଇଂରେଜ ସରକାର ସେହିକ୍ଷଣି ରାଜା ଓ ଅନୁଚରମାନଙ୍କୁ ଶୃଙ୍ଖଳାବଦ୍ଧ କରି ଚାଲାଣ ଦେଲେ । ଏହିପରି ବାଙ୍କୀର ସୌଭାଗ୍ୟ−ସୂର୍ଯ୍ୟ ଅସ୍ତମିତ ହେଲେ (୧୮୪୦ ଖ୍ରୀଃ ଅଃ) ।

 

ଜଗନ୍ନାଥ ଶ୍ରୀଚନ୍ଦନ ନବଗୁଞ୍ଜରବତୀ ଥିଲେ । ତାଙ୍କ ଜେଲ ପରେ ସେହି ରାଣୀମାନଙ୍କୁ ମାସିକ ଟ ୩୦/- ଲେଖାଏଁ ସରକାରୀ ବୃତ୍ତି ମିଳିଲା । ରାଜାଙ୍କ ପ୍ରଦତ୍ତ ଖମାର ଜମିର ଆୟରୁ ମଧ୍ୟ ଏମାନଙ୍କ ସଂସାରଯାତ୍ରା ନିର୍ବାହିତ ହେଉଥିଲା । ରାଜା ୧୮୪୦−୬୫ ପର୍ଯ୍ୟନ୍ତ ଜେଲରେ ଥିଲେ । ୧୮୬୫ ଖ୍ରୀ: ଅ:ରେ ଯେତେବେଳେ କଟକକୁ ଲାଟ ସାହେବ ଆସିଲେ, ସେତେବେଳେ ଅଠର ଗଡ଼ଜାତର ରାଜାମାନେ ବାଙ୍କୀ ରାଜାଙ୍କୁ ମୁକ୍ତି ଦେବା ଲାଗି ପ୍ରାର୍ଥନା କଲେ । ସାହେବ ମହୋଦୟ ରାଜାମାନଙ୍କକାର ଅନୁରୋଧରେ ଜଗନ୍ନାଥଙ୍କୁ ମୁକ୍ତି ଦେଇଥିଲେ । ସେ ଫେରିଆସି ମାସିକ ଟ୧୦୦/- ସରକାରୀ ବୃତ୍ତି ପାଇ ତୁଲସୀପୁରଠାରେ ବାସ କଲେ । ମାତ୍ର ୮/୧୦ ମାସ ପରେ ତାଙ୍କର ମୁତ୍ୟୁ ଘଟିଲା ।

 

ଲୋକେ କହନ୍ତି, ମୁତ୍ୟୁ ପୂର୍ବରୁ ସରକାର ପକ୍ଷରୁ ତାଙ୍କ ପରେ କିଏ ସିଂହାସନରେ ବସିବ ବୋଲି ପ୍ରଶ୍ନ ପଚରା ଯାଉଥିଲା । ସେ ତା’ର ଉତ୍ତରରେ ଚିନ୍ତାମଣିଙ୍କୁ ଉତ୍ତରାଧିକାରୀ ବୋଲି କହିଥିଲେ । ପ୍ରକୃତରେ ସେତେବେଳେ ଚିନ୍ତାମଣି ବୋଲି ବାଙ୍କୀରେ କୌଣସି ବ୍ୟକ୍ତି ନ ଥିଲେ । ରାଜା ଚୈତନ୍ୟ ଜୀଉଙ୍କୁ ଚିନ୍ତାମଣି କହିଥିଲେ । ସେପରି କୌଣସି ଲୋକ ନ ଥିବାରୁ ରାଜ୍ୟ ସରକାରଙ୍କ ନିଜ ଦଖଲରେ ଆସିଲା ।

 

ରାଜାଙ୍କ ମୁତ୍ୟୁ ଅନ୍ତେ ପାଟରାଣୀ ଡମ୍ପଡ଼ା ଧଳ ବଂଶରୁ ଦୀନବନ୍ଧୁ ସିଂହଙ୍କୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥିଲେ । ବର୍ତ୍ତମାନ ତାଙ୍କ ପୁତ୍ର ବିଶ୍ଵନାଥ ଶ୍ରୀଚନ୍ଦନ ମହାପାତ୍ର ବାଙ୍କୀର ପ୍ରକୃତ ରାଜବଂଶଧର ଅଟନ୍ତି ।

 

୧୮୪୦ ସାଲଠାରୁ ବାଙ୍କୀରେ ଜଣେ ତହସିଲଦାର ରହି ଖଜଣା ଓ ମାଲି ମକଦ୍ଦମାର ଭାର ଗ୍ରହଣ କଲେ । ତନ୍ମଧ୍ୟରୁ କେତେକଙ୍କ ବିଷୟ ନିମ୍ନରେ ବିବୃତ ହେଲା:−

 

ଗୋପବନ୍ଧୁ ରାୟଗୁରୁ, ପ୍ରଭୁରାମ ସୋମ, ଗିରିଧାରୀ ଲଲାରାୟ, ହରମୋହନ ଲାଲା ଏମାନଙ୍କ ମଧ୍ୟରେ ପ୍ରସିଦ୍ଧ ।

 

ଗୋପବନ୍ଧୁ ଏକ ନରହତ୍ୟାରେ ପଡ଼ି ବ୍ୟତିବ୍ୟସ୍ତ ହୋଇ ବାଙ୍କୀ ପରିତ୍ୟାଗ କରିଥିଲେ ।

 

ଗିରିଧାରୀ ଅଧିକ ସଙ୍ଗୀତ ଓ ନାଟ ତାମସାପ୍ରିୟ ଥିଲେ । ସେହେତୁ ତାଙ୍କ ବିଷୟରେ ନାନା କଥା ଉଠିବାରୁ ସେ ବାଙ୍କୀ ପରିତ୍ୟାଗ କଲେ ।

 

ହରିମୋହନ ବଡ଼ ଧାର୍ମିକ ପୁରୁଷ ଥିଲେ । ପ୍ରତିଦିନ ବ୍ରାହ୍ମଣ ଭୋଜନ କରାଇବା ତାଙ୍କ ଦୈନିକ କାର୍ଯ୍ୟର ପ୍ରଧାନ ଅଙ୍ଗ ଥିଲା । ତାଙ୍କର ବିଚାର କାର୍ଯ୍ୟରେ ବିଶେଷ ସୁଖ୍ୟାତି ଥିବାର ଶୁଣାଯାଏ ।

 

ଏହାଙ୍କ ପରେ ବାବୁ ରଘୁନାଥ ବୋଷ ବ ୧୨ ର୍ଷ କାଳ ବାଙ୍କୀର ତହସିଲଦାର ହେଲେ । ଏହାଙ୍କ ସମୟରେ ଚର୍ଚ୍ଚିକା ହାଟ ବସିଥିଲା ; ରମ୍ପାବନ୍ଧ ଓ ମାଳବନ୍ଧ ହୋଇଥିଲା । ରଘୁବାବୁ ସାଧାରଣ ଧରଣର ଲୋକ ଥିଲେ ।

 

ରଘୁନାଥଙ୍କ ପରେ ବାବୁ ଶ୍ରୀନାଥ ବୋଷ ବାଙ୍କୀର ତହସିଲଦାର ହେଲେ । ଏ ଜଣେ ପ୍ରଜାପୀଡ଼କ ଓ ଉତ୍କୋଚଗ୍ରାହୀ ଲୋକ ଥିଲେ । ଏଥିଲାଗି ତାଙ୍କ ନାମରେ ଉତ୍କୋଚ ଗ୍ରହଣ ମକଦ୍ଦମା ଦାଏର ହେଲା । ଗଡ଼ଜାତ ସୁପରିଣ୍ଟେଣ୍ଡେଣ୍ଟ ସ୍ମିଥ ସାହେବ ଏ ମକଦ୍ଦମା ବିଚାର କରିଥିଲେ । ଫଳରେ ଶ୍ରୀନାଥଙ୍କୁ ବ ୩ ର୍ଷ ଜେଲ ଓ ଟ ୫୦୦/- ଜୋରିମାନା ହେଲା । ଶ୍ରୀନାଥ ପୋଲିସ ହେପାଜାତରେ ଥାଇ ୧୮୮୧ ମସିହା ଜାନୁୟାରି ମାସ ତା ୨୫ ରିଖରେ ଶଙ୍ଖୁଆ ଖାଇ ଆତ୍ମହତ୍ୟା କରିଥିଲେ । ଶ୍ରୀନାଥଙ୍କ ଅମଳରେ କେତେକ ବନ୍ଧ ଓ ପୁଷ୍କରିଣୀ ପ୍ରସ୍ତୁତ ହୋଇଥିଲା । ଆଜି ସୁଦ୍ଧା ଲୋକେ କହନ୍ତି, ଶ୍ରୀନାଥ ଏକଦନ୍ତା ହାକିମ ଥିଲେ । ତାଙ୍କ ଭୟରେ ବାଙ୍କୀରୁ ଚୋରୀ ଉଠି ଯାଇଥିଲା ।

 

ଏହାଙ୍କ ପରେ ବାବୁ ବଳରାମ ବୋଷ କିଛି କାଳ ତହସିଲଦାର କାର୍ଯ୍ୟ କରିଥିଲେ ।

 

ଅନନ୍ତର ବାବୁ ବଳରାମ ଦାସ ବାଙ୍କୀର ଭାରାପ୍ରାପ୍ତ ଡିପୋଟି ମାଜିଷ୍ଟ୍ରେଟ ହୋଇଥିଲେ । ବଳରାମ ବାବୁ ବଡ଼ କାର୍ଯ୍ୟଦକ୍ଷ ଲୋକ ଥିଲେ; ପ୍ରଜାମାନଙ୍କ ମନ ଅନୁସାରେ କାର୍ଯ୍ୟ କରୁଥିଲେ । ଏହାଙ୍କ ସମୟରେ ବାଙ୍କୀ ଗଡ଼ଜାତରୁ ଖାରଜ ହୋଇ କଟକ ଜିଲାର ଥାନା ରୂପେ ସାମିଲ ହୋଇଥିଲା । କ୍ରମେ କ୍ରମେ ଯାବତୀୟ ଆଇନ ବାଙ୍କୀରେ ଜାରୀ ହୋଇ ତହିଁର କାର୍ଯ୍ୟାନୁଷ୍ଠାନ ହେଲା । ବଳରାମ ବାବୁ ବାଙ୍କୀରେ ବ ୧୪ ର୍ଷ କାଳ ରହିଥିଲେ । ଏହାଙ୍କ ସମୟରେ ବନ୍ଦୋବସ୍ତ ହୋଇ ଲୋକମାନଙ୍କୁ ପଟ୍ଟା ମିଳିଲା ଓ ରାଜସ୍ୱ କିଛି ପରିମାଣରେ ବଢ଼ାଇ ଦିଆଗଲା । ବଳରାମ ବାବୁଙ୍କ ତତ୍ତ୍ଵାବଧାନରେ ବାଙ୍କୀରେ ଅନେକ କୂପ, ପୁଷ୍କରିଣୀ, ବନ୍ଧ ପ୍ରସ୍ତୁତ ହୋଇଥିଲା । ପରିଶେଷରେ ଏହାଙ୍କ ନାମରେ ମକଦ୍ଦମା ହେବାରୁ ବାବୁ ମହୋଦୟ ଜଳକର ବିଭାଗକୁ ସ୍ଥାନାନ୍ତରିତ ହେଲେ ।

 

ବାବୁ ମୁରାରି ମିଶ୍ର ଏହାଙ୍କ ପରେ ବାଙ୍କୀର ଶାସନ ଭାର ଗ୍ରହଣ କରି ତିନିବର୍ଷ ଥିଲେ; ମାତ୍ର ଏହାଙ୍କ ପ୍ରତି ବନ୍ଦୋବସ୍ତ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀମାନେ ସନ୍ତୁଷ୍ଟ ନ ହେବାରୁ ବାଧ୍ୟ ହୋଇ ବାବୁ ମହୋଦୟ ବାଙ୍କୀ ପରିତ୍ୟାଗ କଲେ ।

 

ଏହାଙ୍କ ପରେ ବାବୁ ବାଳମୁକୁନ୍ଦ କାନୁନ୍‍ଗୋ ବାଙ୍କୀର ଡିପୋଟି ମାଜିଷ୍ଟ୍ରେଟ୍ ହୋଇଥିଲେ-। ଏ ମହାଶୟ ଜଣେ ବୁଦ୍ଧିମାନ୍‍ ଲୋକ ଥିଲେ । ଏହାଙ୍କ ଯତ୍ନରେ ବାଙ୍କୀର ସଂସ୍କୃତ ଟୋଲ ସ୍ଥାପିତ ହୋଇଥିଲା । ଟେଲିଗ୍ରାଫ୍, ଜେଲ ଓ ମାଳବନ୍ଧ ନିର୍ମାଣର ଉଦ୍‍ଯୋଗ ଏହାଙ୍କ ଅମଳର ପ୍ରଧାନ ଘଟଣା । ବନ୍ଦୋବସ୍ତ କାର୍ଯ୍ୟ କରାଯାଇ ରାଜସ୍ୱ ମଧ୍ୟ ବୃଦ୍ଧି ହୋଇଗଲା । ବୋଧ ହୁଏ ଏଇ ବନ୍ଦୋବସ୍ତ ପରେ ସରବରାକାରୀ ନିଯୁକ୍ତି ସମ୍ପର୍କରେ ୰ ଗୋବିନ୍ଦ ରଥଙ୍କ ସହିତ ବାବୁ ମହୋଦୟଙ୍କର ବହୁଦିନବ୍ୟାପୀ ଗୋଟିଏ ମକଦ୍ଦମା ହୋଇଥିଲା । ବାବୁ ମହୋଦୟ ବ୍ରାହ୍ମଣ ପଣ୍ଡିତଙ୍କୁ ବଡ଼ ଭଲ ପାଉଥିଲେ ଏବଂ ସାମୟିକ ଶାସନକୁ ଆସି ମଧ୍ୟ ପୁରାଣ ପାଠ ଶ୍ରବଣ କରି ଯାଉଥିଲେ । ଏହାଙ୍କ ସମୟରେ ଛୋଟ ଲାଟ ମହୋଦୟ ବାଙ୍କୀକୁ ଶୁଭାଗମନ କରିଥିଲେ ।

 

ତତ୍ପରେଶ୍ରୀଯକ୍ତ ବ୍ରଜସୁନ୍ଦର−ମର୍ଦ୍ଦରାଜ ବାଙ୍କୀର ଶାସନ ଭାର ଗ୍ରହଣ କରିଥିଲେ । ଏ ମହାଶୟ କେନ୍ଦ୍ରାପଡ଼ା ରାଧାଶ୍ୟାମ ନରେନ୍ଦ୍ରଙ୍କ ନାତି ଅଟନ୍ତି । ବଂଶ ପରମ୍ପରା କ୍ରମେ ଏହାଙ୍କର ସଦାଚାର, ଦେବ−ବ୍ରାହ୍ମଣ−ଭକ୍ତି ବହୁଳ ପରିମାଣରେ ଦେଖାଯାଇଥିଲା । ଏ ଜଣେ ପ୍ରଜାପାଳକ ହାକିମ ଥିଲେ ।

 

ଅନନ୍ତର ବାବୁ ରାଧାଚରଣ ଦାସ ମହୋଦୟ ବାଙ୍କୀର ଡିପୋଟି ମାଜିଷ୍ଟ୍ରେଟ୍ ହୋଇଥିଲେ-। ଏ ମହୋଦୟ ବିଶେଷ କାର୍ଯ୍ୟଦକ୍ଷ, ନିରଳସ ଓ ପ୍ରଜାପାଳକ ଥିଲେ । ଏହାଙ୍କ ଅମଳରେ ବନ୍ଦୋବସ୍ତ କାର୍ଯ୍ୟ ହୋଇଥିଲା ଏବଂ ପୁରାତନ ଗୋଧେଇ ବନ୍ଧ ଉତ୍ତମରୂପେ ନିର୍ମିତ ହୋଇଥିଲା । ବାବୁ ମହୋଦୟ ବନ୍ଧ କରିବା ଦ୍ଵାରା ବାଙ୍କୀ ପ୍ରଜାଙ୍କର ପ୍ରଭୂତ ମଙ୍ଗଲ ସାଧିତ ହେଉଅଛି ।

 

ଏହାଙ୍କ ପରେ ବିଚକ୍ଷଣ ପଣ୍ଡିତ ବରେନ୍ଦ୍ରକୃଷ୍ଣ ଦାସ ଅଧିକାରୀ ମହୋଦୟ ବାଙ୍କୀର ଡିପୋଟି ମାଜିଷ୍ଟ୍ରେଟ୍ ହେଲେ । ବାଙ୍କୀ−ଡମ୍ପଡ଼ା ହାଇସ୍କୁଲ ସ୍ଥାପନରେ ଏହାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ପ୍ରଗାଢ଼ ଅଧ୍ୟବସାୟ ଅତୀବ ପ୍ରଶଂସନୀୟ । ଏଥିରେ ବର୍ତ୍ତମାନ ଶତାଧିକ ଛାତ୍ର ଅଧ୍ୟୟନ କରୁଅଛନ୍ତି-। ଏହାଙ୍କ ସମୟରେ ବାଙ୍କୀରେ ପଥକର ଜମାବୃଦ୍ଧି କାର୍ଯ୍ୟ ମଧ୍ୟ ହୋଇଥିଲା ।

 

ତଦନନ୍ତର ବାବୁ ଦୁର୍ଗାଚରଣ ଦାସ ମହୋଦୟ ବାଙ୍କୀର ଡିପୋଟି ହୋଇଥିଲେ । ସେ ହାଇସ୍କୁଲ ଛାତ୍ରାବାସ ତିଆରି କରାଇଥିଲେ ଓ ଜଣେ ଜବରଦସ୍ତ ମାଜିଷ୍ଟ୍ରେଟ୍ ଥିଲେ । ଏହାଙ୍କ ସମୟରେ ବିହାର ଓଡ଼ିଶା ଲାଟ ଷ୍ଟିଫେନ୍‍ସନ ସାହେବ ଅଂଶୁପା ହ୍ରଦକୁ ଆସି ଶୀକାର କରି ଯାଇଥିଲେ । ତାଙ୍କ ପରେ ଶ୍ରୀଯୁକ୍ତ ଭଗବାନ ମହାପାତ୍ର ଓ ଭଗବାନ ବାବୁଙ୍କ ପରେ ବାବୁ ସୁନୀଲଚନ୍ଦ୍ର ପାଳିତ ବାଙ୍କୀର ଶାସନ ଭାର ଗ୍ରହଣ କରିଥିଲେ ।

 

ତାଙ୍କ ପରେ ରାୟ ସାହେବ ଫନୀନ୍ଦ୍ରନାଥ ଗୁପ୍ତ ବାଙ୍କୀର ଡିପୋଟି ମାଜିଷ୍ଟ୍ରେଟ୍ ହେଲେ । ଚର୍ଚ୍ଚିକା ତୁଳସୀପୁର ରାସ୍ତାରେ ନଦୀକୁଣ୍ଡା, ପଥରତୁଠ, ଭୋକା ନିକଟବର୍ତ୍ତୀ ତିନିଗୋଟି ପୋଲ ନିର୍ମାଣ ଏହାଙ୍କ ଅମଳର ପ୍ରଧାନ ଘଟନା । ଏଥିଲାଗି ବାଙ୍କୀରେ ଗୋଟିଏ ଛୋଟ ଦରବାର ହୋଇଥିଲା । କମିଶନର ସାହେବ ଜିଲା ବୋର୍ଡ଼ର ଚେୟାରମ୍ୟାନ ବାବୁ ମହୋଦୟଙ୍କ ବିଶେଷ ପ୍ରଶଂସା କରିଥିଲେ ଓ ଯେଉଁମାନେ ଏ କାର୍ଯ୍ୟରେ ବିଶେଷ ମନ ଦେଇଥିଲେ, ସେମାନଙ୍କୁ ପୁରସ୍କାର ଦିଆ ଯାଉଥିଲା । ବିଚାର କାର୍ଯ୍ୟରେ ଏ ମହୋଦୟ ନିରପେକ୍ଷ ଥିଲେ ।

 

ଏହାଙ୍କ ପରେ ବାବୁ ପଦ୍ମଚରଣ ଦାସ ବାଙ୍କୀର ଡିପୋଟି ମାଜିଷ୍ଟ୍ରେଟ୍ ହୋଇଥିଲେ । ଏହାଙ୍କ ସମୟରେ ବାଙ୍କୀର ହାଟ ନିଲାମ ହୋଇଥିଲା ।

 

ବର୍ତ୍ତମାନ ନରେନ୍ଦ୍ରନାଥ ଦତ୍ତ ବାଙ୍କୀର ଭାରାପ୍ରାପ୍ତ ଡିପୋଟି ମାଜିଷ୍ଟ୍ରେଟ୍ ଅଟନ୍ତି ।

•••

 

ପରିଶିଷ୍ଟ

ସନେଇଭାଇ ପୁଅଙ୍କ କଥା

 

ବାଙ୍କୀରେ ଧଳବଂଶର ରାଜତ୍ୱ ଆରମ୍ଭ ହେବା ପୂର୍ବରୁ ଏମାନେ ଏ ରାଜ୍ୟର ବାସିନ୍ଦା । ଏମାନେ ପ୍ରବଳ ପରାକ୍ରାନ୍ତ ଓ ବିଶେଷ ଦୁଷ୍ଟ ଥିଲେ । ସେଥିଲାଗି ଆଜି ମଧ୍ୟ ଲୋକେ “ବାଙ୍କୀ ସନେଇ”ଙ୍କୁ ବିଶ୍ଵାସ ନାହିଁ ବୋଲି କହନ୍ତି । ଏ ଜାତି ଦ୍ରସ୍ୟୁବୃତ୍ତି ଓ ଯୁଦ୍ଧବିଦ୍ୟାରେ ଅତିଶୟ ପାରଦର୍ଶୀ ଥିଲେ । ପରମ୍ପରାକ୍ରମେ ରାଜାଙ୍କଠାରୁ ଜାୟଗିର ପାଇ ଏମାନେ ରାଜାଙ୍କୁ ସବୁବେଳେ ସାହାଯ୍ୟ କରୁଥିଲେ । କୌଣସି ଲୋକ ରାଜାଙ୍କର ଶତ୍ରୁ ହେଉଥିଲେ, ରାଜା ଏହିମାନଙ୍କ ଦ୍ଵାରା ତାକୁ ଶାସନ କରୁଥିଲେ । ଥରେ କୌଣସି ଏକ ଘଟନାରେ ବାଙ୍କୀ ରାଜାଙ୍କୁ ଗଜପତି ଖୋରଧା ଗଡ଼ରେ ବନ୍ଦୀ କରିଥିଲେ । ସନେଇଭାଇ ପୁଅମାନେ ବାଙ୍କୀରୁ ତଳେ ତଳେ ସୁଡ଼ଙ୍ଗ ଖୋଳି ରାଜାଙ୍କ ବନ୍ଦିଶାଳାରେ ବାଟ ଫୁଟାଇଦେଲେ ଏବଂ ଶୀଘ୍ର ଗଡ଼କୁ ବାହାରି ଆସିବା ଲାଗି ରାଜାଙ୍କୁ ଅନୁରୋଧ କଲେ ।

 

ରାଜା ସେମାନଙ୍କୁ ବୁଝାଇ ସୁଝାଇ ଫେରାଇ ଦେଲେ । ପର ଦିନ ପ୍ରାତଃକାଳରେ ମହାରାଜାଙ୍କୁ ସମସ୍ତ ଘଟନା ପ୍ରତ୍ୟକ୍ଷ କରାଇଦେଲେ । ମହାରାଜା ଏଥିରେ ଆଶ୍ଚର୍ଯ୍ୟାନ୍ଵିତ ହୋଇ ସେହିକ୍ଷଣି ବାଙ୍କୀରାଜାଙ୍କୁ ମୁକ୍ତି ଦେଲେ । ଏହି ସନେଇମାନଙ୍କ ବିଷୟରେ ଅନେକ ପ୍ରବାଦ ପ୍ରଚଳିତ ଅଛି । ଲୋକେ ଏମାନଙ୍କୁ ଅସଭ୍ୟ ବଣୁଆ ଜାତି କହନ୍ତି ।

•••

 

ସାହୁଗଣିତା ରାମସେବକ ସିଂହ

 

ପୁଣ୍ୟାତ୍ମା ରାମସେବକ ସିଂହ ବାଙ୍କୀର ତୁଳସୀପୁର ଗ୍ରାମର ଅଧିବାସୀ । ଏହାଙ୍କ ସମୟରୁ ବାଙ୍କୀକୁ ରାଜପୁତମାନେ ଆସି ରାଜକାର୍ଯ୍ୟ କରୁଥିଲେ । ଏମାନେ ଜାତିରେ କ୍ଷତ୍ରିୟ । ମିବାର ରାଣା ପ୍ରତାପସିଂହଙ୍କ ଭାଇ ଶକ୍ତିସିଂହ ଔରସରୁ ବାଦସାହ ଆକବରଙ୍କ କନ୍ୟା ମେହେର ଉନ୍ନିସାଙ୍କ ଗର୍ଭରୁ ଏମାନଙ୍କ ଜନ୍ମ ।

 

ରାମସେବକ ପ୍ରକୃତରେ ଜଣେ ଦେବବ୍ରାହ୍ମଣ−ଭକ୍ତ ମହାଜନ ଥିଲେ । ଏହାଙ୍କର ପ୍ରତିଦିନ ବାସ୍ତରୀ ବୋଡ଼ି ଲେଖନ ଚଳୁଥିବାର ଲୋକେ କହନ୍ତି । ଏ ମହାତ୍ମ୍ୟ ଅନେକ ପୁଷ୍କରିଣୀ, ଦେବାଳୟ ନିର୍ମାଣ କରିଥିଲେ । ଆହୁରି ମଧ୍ୟ ପଥିକମାନଙ୍କପାଇଁ ଧର୍ମଶାଳା ଓ ସଦାବ୍ରତ ଦେଉଥିବାର ଶୁଣାଯାଏ ।

 

ଏହାଙ୍କ ମୁତ୍ୟୁ ସମ୍ବନ୍ଧରେ ଗୋଟିଏ ଅଦ୍ଭୁତ ଜନଶ୍ରୁତି ଶୁଣାଯାଏ । ତାହା ନିମ୍ନରେ ଦିଆଗଲା :–

 

ରାମସେବକ ମୁତ୍ୟୁର ଅବ୍ୟବହିତ ପୂର୍ବରୁ ଜଣିଲା ପରି ଗଙ୍ଗାସ୍ନାନ ଓ ଗୟାଶ୍ରାଦ୍ଧ କରିବା ନିମିତ୍ତ ମନଃସ୍ଥ କରି ବ୍ରାହ୍ମଣମାନଙ୍କୁ ଡକାଇ ଗୋଟିଏ ବଡ଼ ଭୋଜିର ଆୟୋଜନ କଲେ । ଭୋଜନ ପରେ ବ୍ରାହ୍ମଣମାନଙ୍କୁ ଏକତ୍ରିତ କରି ସାଷ୍ଟାଙ୍ଗ ଦଣ୍ଡବତ ହେବା ପରେ କର ଯୋଡ଼ି କହିଲେ, “ଆପଣମାନେ ସତ୍ୟ କହନ୍ତୁ, ମୁଁ ଗୋଟିଏ ପ୍ରାର୍ଥନା କରିବି ।’’ ବ୍ରାହ୍ମଣମାନେ ସମ୍ମତ ହେଲେ ।

 

ରାମସେବକ ଅତି ବିନୀତଭାବରେ କହିଲେ, “ଆପଣମାନେ ମୋତେ ଏଇ ଆଶୀର୍ବାଦ କରନ୍ତୁ, ଯେପରି ଅଳ୍ପ ଦିନ ମଧ୍ୟରେ ମୋର ବଂଶ ଲୋପ ହୋଇଯିବ ।’’ ବ୍ରାହ୍ମଣମାନେ ହାୟ ହାୟ କରିବାକୁ ଲାଗିଲେ; କିନ୍ତୁ ଅଗତ୍ୟା ସତ୍ୟ କରିଥିବାରୁ ‘ତଥାସ୍ତୁ’ ଏହି ବାକ୍ୟ ଗମ୍ଭୀର ଭାବରେ ଉଚ୍ଚାରଣ କଲେ । କିଛି ଦିନ ପରେ ମହାଜନ ତାଙ୍କର ସମସ୍ତ ପରିବାର ନେଇ ଗୟାଶ୍ରାଦ୍ଧ ଉଦ୍ଦେଶ୍ୟରେ ଯାତ୍ରା କଲେ । ପଥ ମଧ୍ୟରେ ପ୍ରଥମେ ଚନ୍ଦ୍ରପ୍ରଭା ଓ ସୂର୍ଯ୍ୟପ୍ରଭା ଘୋଡ଼ା, ତାପରେ ଶୁଆ ସାରୀ ଦୁଇଟି ଯାକ ପ୍ରାଣତ୍ୟାଗ କଲେ । ଗୟାକ୍ଷେତ୍ରରେ ପହଞ୍ଚିଲା ବେଳକୁ କେବଳ ରାମସେବକଙ୍କ ବ୍ୟତୀତ ସମସ୍ତେ ପଞ୍ଚତ୍ୱ ପ୍ରାପ୍ତ ହୋଇଥିଲେ । ମହାଜନ ସମସ୍ତଙ୍କ ଅସ୍ଥି ଗଙ୍ଗାରେ ପକାଇ ଗୟାରେ ପିଣ୍ଡ ଦାନ କଲେ । କିଛି କାଳ ଗୟାରେ ବାସ କଲା ପରେ ତାଙ୍କର ସ୍ଵର୍ଗାରୋହଣ ହୋଇଥିଲା ।

•••

 

ଦାତା ଗଙ୍ଗାଧର ସାମନ୍ତରାୟ

 

ଗଙ୍ଗାଧର ବୈଦ୍ୟେସ୍ଵର-ନିବାସୀ ଜଣେ ଧନୀ ମହାଜନ । ଖୋରଧା ନିବାସୀ ଦାମୋଦର ରାୟଗୁରୁ ନାମକ ଜଣେ ବ୍ରାହ୍ମଣ ଏହାଙ୍କ ଠାରୁ କିଛି ଟଙ୍କା କରଜ ନେଇଥିଲେ । ସେହି ଟଙ୍କା ଓ ତହିଁର ସୁଧରେ ଦାମୋଦରଙ୍କ ସାତ ବାଟି ଜମି ଓ ଅଠର ବଖରା ପଥର ଘର ନିଲାମ ହୋଇଗଲା-। ଦାମୋଦର ନିରୁପାୟ ହୋଇ ଗ୍ରାମରୁ ବାହାରି ଆସି ମହାନଦୀରେ ସ୍ନାନ ସାରି ଗଙ୍ଗାଧରଙ୍କ ପିଣ୍ଡାରେ ବସି ରହିଲେ । ଦାମୋଦର ଦୀର୍ଘକାୟ; ବ୍ରହ୍ମତେଜରେ ତାଙ୍କ ଦେହ ଝଲସି ପଡ଼ୁଥିଲା । ଲୋକେ ଏସବୁ କଥା ଦେଖି ଭାବିଲେ, ସାମନ୍ତରାୟ ଏ ବ୍ରାହ୍ମଣଙ୍କର ଜମିବାଡ଼ି ନିଲାମରେ ଆଣିଥିବାରୁ ବ୍ରାହ୍ମଣ ବର୍ତ୍ତମାନ କ୍ରୋଧରେ ଏଠାରେ ଧାରଣା ଦେଇଛନ୍ତି । ନିଶ୍ଚୟ ଏଥିରେ ମହାଜନଙ୍କର କିଛି ନା କିଛି କ୍ଷତି ଘଟିବ ।

 

ଏହି ସମୟରେ ସାନ୍ତ୍ରା ସେଠାରେ ପହଞ୍ଚିଲେ । ବିନୀତ ଭାବରେ କହିଲେ, “ପ୍ରଭୁ, କାହିଁକି ଏଠାରେ ବସି ରହିଛନ୍ତି ? ଠାକୁର ଘରକୁ ବିଜେ କରନ୍ତୁ । ସେଠାରେ ଭୋଜନାଦିର ବନ୍ଦୋବସ୍ତ କରି ଦେବି ।’’ ଦାମୋଦର କହିଲେ, ‘‘ମୁଁ ଏକାକୀ ଆହାର କଲେ କ’ଣ ହେବ, ତୁମେ ତ ମୋର ସର୍ବସ୍ଵ ନିଲାମ କରି ଆଣିଛ । ମୋ ପିଲାଏ ବର୍ତ୍ତମାନ ଖାଡ଼ା ଉପବାସ ଥିବେ । ତୁମେ ମହାଜନ, ଦୟା କରି ଯଦି ମୋ ପରିବାର ରକ୍ଷା କରିପାର, ତେବେ ବିଶେଷ ଧର୍ମ ହେବ ।’’

 

ସାନ୍ତ୍ରା ଏହା ଶୁଣି ଅବାକ୍ ହୋଇଗଲେ । ତାଙ୍କ ତୁଣ୍ଡରୁ କଥା ବାହାରିଲା ନାହିଁ । ପରେ କ୍ଷଣ କାଳ ବିଚାର କରି ହାତରେ ଜଳ ତୁଳସୀ ଧରି କହିଲେ, “ପ୍ରଭୁ, ମୁଁ ଆପଣଙ୍କ ପିଲାମାନଙ୍କପାଇଁ ଅଠର ବଖରା ପଥର ଘର ଓ ତିନିବାଟି ଜମି ପୁନର୍ଦାନ କଲି, ଆପଣ ଦୟା କରି ଏ ଭୃତ୍ୟର ଯତ୍‍ସାମାନ୍ୟ ଗ୍ରହଣ କରନ୍ତୁ ।’’

 

ଦାମୋଦର ପ୍ରସନ୍ନ ହୋଇ ସାମନ୍ତରାୟଙ୍କୁ ଆଶୀର୍ବାଦ ଜଣାଇ ଆହାରାଦି ସମାପନ ପରେ ଗ୍ରାମକୁ ଫେରିଗଲେ । ଧନ୍ୟ ଗଙ୍ଗାଧର ! ଧନ୍ୟ ତୁମର ନିଃସ୍ଵାର୍ଥତା ।

•••

 

ଭକ୍ତ ବିଶ୍ଵନାଥ ଦେବତା

 

ପାଟପୁର ମୌଜାର ପଦ୍ମନାଭପୁର ଶାସନ ବିଶ୍ଵନାଥଙ୍କ ଜନ୍ମଭୂମି । ସେ ପ୍ରତିଦିନ ସିଂହନାଥ ଦେବଙ୍କୁ ଦର୍ଶନ ନ କଲେ ଅନ୍ନ ଜଳ ଗ୍ରହଣ କରୁ ନ ଥିଲେ । ଦିନେ ରାଜପରିଚାରମାନେ ତାଙ୍କ ଉପରେ ଦୋଷାରୋପପୂର୍ବକ ତାଙ୍କୁ ଶୃଙ୍ଖଳାବଦ୍ଧ କରି ରାଜାଙ୍କ ଛାମୁକୁ ନେଇଗଲେ । ବିଶ୍ଵନାଥ ଉପବାସରେ ଗଡ଼ରେ ପହଞ୍ଚିଲେ । ରାଜା ପଚାରିଲେ, “ତୁ କାହିଁକି ଉପବାସ ରହିଛୁ ।’’ ବିଶ୍ୱନାଥ ଉତ୍ତର କଲେ, ‘‘ମୁଁ ପିତାମାତାଙ୍କୁ ନ ଦେଖିଲେ ଆହାର କରି ପାରିବି ନାହିଁ ।’’ ରାଜା ପୁଣି ପ୍ରଶ୍ନ କଲେ । “ତୋର ପିତାମାତା କିଏ ?” ବିଶ୍ଵନାଥ କହିଲେ, “ସିଂହନାଥ ମୋର ପିତା ଓ ପାର୍ବତୀ ଠାକୁରାଣୀ ମୋର ମାତା, ଉଭୟେ ଗମ୍ବିରା ମଧ୍ୟରେ ଥାଆନ୍ତି ।’’ ରାଜା ଏ କଥା ଶୁଣି ସେହିକ୍ଷଣି ତାଙ୍କୁ ସେଠାକୁ ନେଇଯିବା ଲାଗି ଭୃତ୍ୟମାନଙ୍କୁ ଆଦେଶ ଦେଲେ । ବିଶ୍ଵନାଥ ପାଟ ଅଗଣାରେ ପହଞ୍ଚିବା ମାତ୍ରେ ଉଚ୍ଚସ୍ଵରରେ ବାପାମାଆଙ୍କୁ ଡାକିଲେ । ପରେ ଗମ୍ଭୀର ଭାବରେ କହିଲେ, “ତିନି ରଥେ ଉଡ଼େ ତିନି ବାନା । ବଶିକି କେ କଲା ଏତେ ଅନା ।’’

 

ତତ୍ପରେ ତିନି ଥର ଦଣ୍ଡ ପ୍ରଣାମ କଲା ପରେ ଗୋଡ଼କୁ ଏପରି ଭାବରେ ଛାଟିଦେଲେ ଯେ, ଦେଖୁ ଦେଖୁ ସେହି ଲୌହ ଶୃଙ୍ଖଳ ଛିଡ଼ିଗଲା । କ୍ରମେ ରାଜାଙ୍କ ନିକଟକୁ ଏ ସଂବାଦ ଗଲା । ରାଜା ତାଙ୍କୁ ଦେବଭକ୍ତ ଜାଣି କୌଣସି ପ୍ରକାର ଦଣ୍ଡ ବିଧାନ ନ କରି ମୁକ୍ତ କରିଦେଲେ ।

 

ଧନ୍ୟ ବିଶ୍ଵନାଥ ! ଧନ୍ୟ ତୁମର ଦେବାରାଧନା !

•••

 

ଲୋକନାଥ ପାଇକରାୟ

 

ଲୋକନାଥଙ୍କର ପ୍ରକୃତ ସଂଜ୍ଞା ପ୍ରଥମେ ଧଳ ଥିଲା । ତାଙ୍କ ପୂର୍ବବଂଶ କେବେ କିପରି ବାଙ୍କୀକୁ ଆଗମନ କରିଥିଲେ, ସେ ବିଷୟରେ କୌଣସି ତଥ୍ୟ ନାହିଁ । ଆଜିକାଲି ତାଙ୍କ ବଂଶ ପାଟପୁରରେ ଅଛନ୍ତି । ଏମାନେ ଯୁଦ୍ଧବିଦ୍ୟାରେ ବିଶେଷ ପାରଦର୍ଶୀ ଥିଲେ । ସେ ପ୍ରଥମେ ପଦାତିକ ସୈନ୍ୟରୂପେ ଶ୍ରୀଚନ୍ଦନଙ୍କୁ ସାହାଯ୍ୟ କରୁଥିଲେ ; ମାତ୍ର ଅଳ୍ପ କାଳ ମଧ୍ୟରେ ତାଙ୍କର କ୍ଷମତା, ସାହାସ, ବୀର୍ଯ୍ୟ ଏପରି ବଢ଼ିଗଲା ଯେ, ଶ୍ରୀଚନ୍ଦନ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ପାଇକରାୟ ଉପାଧି ପ୍ରଦାନ କରିଥିଲେ ।

 

ଲୋକେ କହନ୍ତି, ଲୋକନାଥ ଜଗନ୍ନାଥ ଶ୍ରୀଚନ୍ଦନଙ୍କ ସମସାମୟିକ । ଜଗନ୍ନାଥଙ୍କ ମଙ୍ଗଳ କୃତ୍ୟ ସମୟରେ ସେ ତାଙ୍କ ସହିତ ସେନାପତି ରୂପେ ବଉଦ ଗଡ଼ଜାତକୁ ଯାଇଥିଲେ । ଖୋରଧା ଘାଟିଠାରେ ଜଣେ ଦଳବେହରା ବାଟରେ ପ୍ରାୟ ୩୦/୪୦ ହାତ ଉଚ୍ଚରେ ଗୋଟିଏ ଚମଦଉଡ଼ି ବାନ୍ଧି ଦେଇ ବୀର ଦର୍ପରେ କହିଲେ, ‘‘ଯେଉଁମାନେ ଆସୁଛ, ଯଦି ପ୍ରକୃତ ପାଇକ, ତେବେ ଦଉଡ଼ି କାଟି ଚାଲିଯାଅ, ନଚେତ୍ ଏଇଠାରୁ ତୁମ ନିଜ ଦେଶକୁ ଫେର ।’’

 

ଏ କ’ଣ କମ୍ ଅପମାନ ! ଶ୍ରୀଚନ୍ଦନ ଏ ବାକ୍ୟ ସହିପାରିଲେ ନାହିଁ, ଆଦେଶ ଦେଲେ–ଯେଉଁ ପାଇକ ଏ କାର୍ଯ୍ୟ କରିପାରିବ, ତାକୁ ଯଥୋଚିତ ପୁରସ୍କାର ଦିଆଯିବ । ସମସ୍ତ ପାଇକ ବହୁତ ଯତ୍ନ କଲେ; ମାତ୍ର ବିଫଳ ମନୋରଥ ହେଲେ । ପରିଶେଷରେ ଲୋକନାଥ ହୁଙ୍କାର ସହକାରେ ଏକା ଲମ୍ପକେ ସେ ଦଉଡ଼ିଟାକୁ ହାଣି ପକାଇଲେ । ଶ୍ରୀଚନ୍ଦନ ତାଙ୍କର ଏ ଅଭୂତପୂର୍ବ ସାହାସ ଦେଖି ବିସ୍ମିତ ହୋଇଗଲେ ଏବଂ ପାଇକମାନେ ବିଜୟ ଉଲ୍ଲାସରେ ଦିଗନ୍ତ ଉଛୁଳାଇ ଦେଲେ । ରାଜା କହିଲେ, “ଲୋକନାଥ, ତୁମର ତେବେ କି ପୁରସ୍କାର ଆବଶ୍ୟକ, ନିର୍ଭୟରେ ପ୍ରକାଶ କର ।’’

 

ଲୋକନାଥ ବିନୀତ ଭାବରେ ଉତ୍ତର କଲେ, “ମହାରାଜାଙ୍କ ଦୟାରୁ ମୋର କିଛି ଅଭାବ ନାହିଁ । ଯଦି ଶ୍ରୀଛାମୁଙ୍କର ମୋପ୍ରତି ଅପାର ଅନୁଗ୍ରହ ହେଉଛି, ତେବେ ମୁକ୍ତକଣ୍ଠରେ ମହାରାଜାଙ୍କ ଚନ୍ଦନ ଟୋପିଟି ମୋତେ ପ୍ରଦାନ କରନ୍ତୁ । ପ୍ରତିଦିନ ଚନ୍ଦନ ଉପରେ ସିନ୍ଦୂରଶିରି ମାରିବାକୁ ଓ ମୁକୁଳା କେଶରେ ଅନ୍ୟାନ୍ୟ ଗଡ଼ଜାତ ଭ୍ରମଣ କରିବାପାଇଁ ଆଦେଶ ଦିଅନ୍ତୁ ।’’

 

ସେହି ଦିନଠାରୁ ଲୋକନାଥ ଚନ୍ଦନ ଟୋପା ଉପରେ ସିନ୍ଦୂରଶିରି ମାରିବାକୁ ଏବଂ ମୁକୁଳା କେଶରେ ଅନ୍ୟାନ୍ୟ ଗଡ଼ଜାତ ଭ୍ରମଣ କରିବାକୁ ଆଦେଶ ପାଇଥିଲେ । ବିବାହ ପରେ ସେ କିଛି ଦିନ ବାଙ୍କୀରେ ରହି ପ୍ରଥମେ ବଡ଼ମ୍ବା, ତାପରେ ନରସିଂହପୁର ଓ ଢେଙ୍କାନାଳ ପ୍ରଭୃତି ଗଡ଼ଜାତ ଭ୍ରମଣ କରିଥିଲେ । ବଡ଼ମ୍ବାର କ୍ଷତ୍ରିୟବର ସିଂହଙ୍କ ସହିତ ଲୋକନାଥଙ୍କର ଅନେକ ତର୍କ ବିତର୍କ ଲାଗିଲା । ଯେତେବେଳେ ଲୋକନାଥ ତାଙ୍କର ଲୌହ ଧନୁଟିକୁ ଭଗ୍ନ କରିଦେଲେ, ସେତେବେଳେ କ୍ଷତ୍ରିୟବର ସିଂହ ତାଙ୍କୁ ମହାବୀର ବୋଲି ସ୍ଵୀକାର କଲେ । ଲୋକନାଥ ଯେଉଁସବୁ ଗଡ଼ଜାତ ଭ୍ରମଣ କରିଥିଲେ, ସେଠାକାର ରାଜାଙ୍କଠାରୁ ପ୍ରଚୁର ଭୂସମ୍ପତି ଜାୟଗିର ସ୍ୱରୂପ ପାଇଥିଲେ । ମାତ୍ର ସାମାନ୍ୟ କାରଣରୁ ସବୁ ପରିତ୍ୟାଗ କରି ଅନ୍ତିମ ସମୟକୁ ଜନ୍ମଭୂମିକୁ ଫେରି ଆସିଲେ ।

 

ଲୋକେ କହନ୍ତି, ଏହି ମହାବୀର ୭୨ ବର୍ଷ ବୟସରେ ତାଙ୍କ ନିଜ ଗୃହରେ ପ୍ରାଣତ୍ୟାଗ କଲେ ।

•••

 

ପଣ୍ଡିତ ଗୋବିନ୍ଦ ରଥ

 

ବାଙ୍କୀର ଅଦ୍ଵିତୀୟ କର୍ମବୀର, ପ୍ରଧାନ ରାଜନୀତିଜ୍ଞ, ସ୍ଵାଧୀନଚେତା, ପଣ୍ଡିତ ଗୋବିନ୍ଦ ରଥ ପାଟପୁର ଗ୍ରାମରେ ପଦ୍ମନାଭପୁର ଶାସନରେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲେ । ଏ ମହାଶୟ ଏକଧାରାରେ କବି, ପଣ୍ଡିତ, ସମାଜ−ସଂସ୍କାରକ, ରାଜନୀତିଜ୍ଞ ଓ ଦେଶସେବକ ଥିଲେ । ବାଲ୍ୟକାଳର ପାଠଶାଳା ଶିକ୍ଷା ସମାପ୍ତ କରି ନର୍ମାଲ ଟେନିଂ ପାଶ୍‍ କରିଥିଲେ । ଯେତେବେଳେ ପ୍ୟାରୀମୋହନ କଟକରେ ଏକାଡେମୀ ସ୍କୁଲ ସ୍ଥାପନ କରିବାର ଉଦଯୋଗ କରିଥିଲେ, ସେ ସମୟରେ ରଥେ ତାଙ୍କୁ ପ୍ରଭୂତ ସାହାଯ୍ୟ କରିଥିଲେ । ସେହିଠାରେ ରହି ଗୋଟିଏ ପୁସ୍ତକାଳୟ ସ୍ଥାପନ କରି ଅନେକ ପ୍ରାଚୀନ ଗ୍ରନ୍ଥ ପ୍ରଭୃତି ମୁଦ୍ରଣ କରିବାକୁ ସାହିତ୍ୟ କ୍ଷେତ୍ରରେ ସେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ । ସ୍ଵର୍ଗୀୟ ବ୍ୟାସକବି ଫକୀରମୋହନ ରଥଙ୍କର ଏ କାର୍ଯ୍ୟରେ ତୃପ୍ତ ଥାଇ ଲେଖିଥିଲେ–

 

“ଆଛା କରିଛନ୍ତି ରଥେ ବ୍ରାହ୍ମଣପଣିଆ

ଛାପିଗଲେ କେତେ ବହି ଆନେ ଦ୍ଵିଅଣିଆ ।’’

 

ରଥେ ମଧ୍ୟ କଟକରେ ଥାଇ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କ ରଚିତ “ବର୍ଣ୍ଣବୋଧକ” ଓ “କବିତାକଳାପ” ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଥିଲା । ସେ ସେଥିରୁ ପ୍ରଭୂତ ଅର୍ଥ ଉପାର୍ଜନ କରି କଟକରେ ସ୍ଥାୟୀ ଗୃହ ଓ ଗୋଟିଏ ବଡ଼ ପୁସ୍ତକାଳୟ କରି ଯାଇଅଛନ୍ତି-

 

ରଥଙ୍କର ପ୍ରଧାନ ଗୁଣଥିଲା ତତ୍‍କାଳୀନ ଡିପୋଟିମାନଙ୍କର କାର୍ଯ୍ୟ ସମାଲୋଚନା କରନ୍ତି । ସେ ମଧ୍ୟ ଲୋକମାନଙ୍କ ଉପହାର ନିମିତ୍ତ ପାଟପୁରରେ ଗୋଟିଏ ହାଟ ବସାଇଥିଲେ ଏବଂ ଶ୍ରୀହନୁମାନ ଜୀଉଙ୍କ ମନ୍ଦିର ନିର୍ମାଣ ଓ ସେବାପୂଜା ସକାଶେ ବିଶେଷ ବନ୍ଦୋବସ୍ତ କରିଥିଲେ-। ରଥଙ୍କ ପରି ସ୍ଵାଧୀନଚେତା ଓ ଭବିଷ୍ୟତ୍ ଭାବୁକ ଅଳ୍ପ ଦେଖାଯାନ୍ତି । ସେ ତାଙ୍କ କୃତ “ଫିଉଚର୍ ସାହେବ”ରେ ଲେଖିଛନ୍ତି–

 

“ଏଥର ମଲେ ସାହେବ ହେବି

ଲାଲ ମୁଣ୍ଡରେ Hat ଦେବି ।’’

 

ଏଥିରୁ ପାଣ୍ଡିତ୍ୟ ସଭ୍ୟତା ପ୍ରତି ତାଙ୍କର ବେଶ୍ ଅନୁରାଗ ଥିଲା ପରି ଜଣା ପଡ଼ୁଅଛି ।

 

ରଥେ ୧୯୧୯ ମସିହା ଜ୍ୟେଷ୍ଠମାସରେ ତାଙ୍କର ସେହି କର୍ମଭୂମି କଟକଠାରେ ୬୫ ବର୍ଷରେ ପରଲୋକ ଗମନ କଲେ । ଆଜିକାଲି ମଧ୍ୟ ତାଙ୍କ ପ୍ରତିଷ୍ଠିତ ପୁସ୍ତକାଳୟଟି “ଗୋବିନ୍ଦରଥ ପୁସ୍ତକାଳୟ’’ ନାମରେ ଅଭିହିତ ହେଉଅଛି ।

•••

 

ରାୟବାହାଦୂର ବିଦ୍ୟାଧର ପଣ୍ଡା

 

ଲୋକ ଦରିଦ୍ର ହୋଇ ଜୀବନରେ କିପରି ମହତ୍‍କାର୍ଯ୍ୟ କହିପାରେ, ସେ ବିଷୟରେ ବିଦ୍ୟାଧର ଆଦର୍ଶସ୍ଥାନୀୟ ଥିଲେ । ବିଦ୍ୟାଧର ବାଙ୍କୀର ସରଣ୍ଡା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ବ୍ରାହ୍ମଣ କୁଳରେ ଜାତ ହୋଇଥିଲେ । ପାଠଶାଳାର ଶିକ୍ଷା ଶେଷ କରି ଭର୍ଣ୍ଣାକ୍ୟୁଲର ପାଶ୍ ପରେ କଟକ ଟ୍ରେନିଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ସୁବର୍ଣ୍ଣପୁର ଭର୍ଣ୍ଣାକ୍ୟୁଲର ସ୍କୁଲର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରି ସେଥିରୁ ପେନସନ୍ ପାଇ ତତ୍‍କାଳୀନ ଡିପୋଟି ବାଳମୁକୁନ୍ଦ କାନୁନ୍‍ଗୋଙ୍କ ଦ୍ଵାରା ବାଙ୍କୀରେ ସହଯୋଗ ଆନ୍ଦୋଳନ ଚଳାଇବା ଲାଗି ଅର୍ଗାନାଇଜର ରୂପେ ନିଯୁକ୍ତ ହେଲେ । ସେ ଜୀବନ ବ୍ୟାପି ଏହି କାର୍ଯ୍ୟ ଦକ୍ଷତା ସହକାରେ ଚଳାଇ ଗଭର୍ଣ୍ଣମେଣ୍ଟଙ୍କଠାରୁ ପ୍ରଥମେ ରାୟସାହେବ ଓ ପରେ ରାୟବାହାଦୂର ଉପାଧି ପାଇଥିଲେ ।

ସେ ବାଙ୍କୀ ଥାନାରୁ ଜିଲାବୋର୍ଡ଼ର ପ୍ରତିନିଧିରୂପେ ନିର୍ବାଚିତ ହୋଇ ଅନେକ ଦିନ ପର୍ଯ୍ୟନ୍ତ ସେ କାର୍ଯ୍ୟ ସୂଚାରୁରୂପେ ଚଳାଇଥିଲେ । ବିଚାର ବିଭାଗରେ ମଧ୍ୟ ଅନରାରୀ ମାଜିଷ୍ଟ୍ରେଟରୂପେ ଅନେକ କାଳ ରହିଥିଲେ ।

ବିଦ୍ୟାଧର ବିନୟୀ, ମିଷ୍ଟଭାଷୀ ଓ ସମଦର୍ଶୀ ଲୋକ ଥିଲେ । ତାଙ୍କୁ ବାଙ୍କୀର ପ୍ରଧାନ ସହଯୋଗୀ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଦ୍ୟାଧର ଦୁର୍ଦାନ୍ତ ଚର୍ମରୋଗରେ ତାଙ୍କର ସର୍ବଶ୍ରେଷ୍ଠ କର୍ମଭୂମି ଚର୍ଚ୍ଚିକାରେ ପୀଡ଼ିତ ରହି କିଛିଦିନ ପରେ ସ୍ଵଗ୍ରାମରେ ପ୍ରାଣତ୍ୟାଗ କଲେ ।

•••

 

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

 

ଏ ମହୋଦୟ ବାଙ୍କୀ ବୈଦ୍ୟେଶ୍ଵର ମୌଜା ବ୍ରଜବିହାରୀପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ଭର୍ଣ୍ଣାକ୍ୟୁଲର ପାଶ୍ ପରେ ସେ ବାମଣ୍ଡା, ମୟୂରଭଞ୍ଜ, ବଡ଼ଖେମଣ୍ଡି ପ୍ରଭୃତି ଗଡ଼ଜାତ ରାଜାମାନଙ୍କ ନିକଟକୁ ଯାଇ ରାଜାସଭାରେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ ।

 

ରାଜାମାନଙ୍କ ଆନୁକୁଲ୍ୟରେ “ଉତ୍କଳ−ମଧୁପ”, “ସମ୍ବଲପୁର−ହିତୈଷିଣୀ’’ ପ୍ରଭୃତି ଖବରକାଗଜମାନ ସଂପାଦନ କରି ଦେଶର ପ୍ରଧାନ ପ୍ରଧାନ ବ୍ୟକ୍ତିମାନଙ୍କର ଶ୍ରଦ୍ଧା ଆକର୍ଷଣ କରିଥିଲେ । ବ୍ୟାସକବି ଫକୀରମୋହନ ତାଙ୍କୁ ଲକ୍ଷ୍ୟ କରି କହିଥିଲେ–

 

“ଦରିଦ୍ରର ପୁଅ ମୋର ନୀଳମଣି ନାନା

ଉଡ଼ାଉଛି ଉତ୍କଳରେ ଦେଶୋନ୍ନତି ବାନା ।’’

 

ନୀଳମଣି ଅନେକଗୁଡ଼ିଏ ଗ୍ରନ୍ଥ ରଚନା କରିଥିଲେ । ତାକୁ “ବିଦ୍ୟାରତ୍ନ−ଗ୍ରନ୍ଥମାଳା’’ କହନ୍ତି । ତାଙ୍କ ଅକ୍ଷରଗୁଡ଼ିକ ଅତି ସୁନ୍ଦର ।

 

ଅନ୍ତିମ ସମୟରେ ସେ “ଉତ୍କଳ−ଦୀପିକା” ସଂପାଦନର ଗୁରୁ ଦାୟିତ୍ଵ ବହନ କରି ସୂଚାରୁରୂପେ ନିର୍ବାହ କରିଥିଲେ । ନୀଳମଣି କଟକ ନଗରରେ ପ୍ରାଣତ୍ୟାଗ କରିଥିଲେ । ସେ ଥରେ “ବ୍ରହ୍ମପୁର ଉତ୍କଳ−ସମ୍ମିଳନୀ’’ର ସଭାପତି ହୋଇଥିଲେ ।

•••

 

ବାଙ୍କୀର ବର୍ତ୍ତମାନ ପ୍ରତିଷ୍ଠିତ କେତେକ ବ୍ୟକ୍ତି–

 

ସାମନ୍ତ ଶ୍ରୀଯୁକ୍ତ ବିଶ୍ଵନାଥ ଶ୍ରୀଚନ୍ଦନ ମହାପାତ୍ର ବି. ଏ.

 

ବିଶ୍ଵନାଥ ଶ୍ରୀଚନ୍ଦନ ବର୍ତ୍ତମାନ ବାଙ୍କୀର ପ୍ରକୃତ ରାଜବଂଶଧର ଓ ସରକାରଙ୍କ ପ୍ରଦତ୍ତ ଖମାରମାନଙ୍କର ମାଲିକ । ଏ ମହାଶୟଙ୍କ ଭଳି ଉଦାର, ସରଳ ଓ ଦୟାଶୀଳ ବ୍ୟକ୍ତି ଅଳ୍ପ ଦେଖାଯାନ୍ତି । ବିଦ୍ୟା, ବିନୟ ଓ ପୁଣ୍ୟଶୀଳତାର ଆଧାରରୂପେ ଏ ମହାଶୟ ବାଙ୍କୀବାସୀଙ୍କର ଅନୁରାଗ−ଭାଜନ ହୋଇଅଛନ୍ତି । ବିଚାର ବିଭାଗରେ ଅନରାରୀ ମାଜିଷ୍ଟେଟ୍, ପ୍ରେସିଡ଼େଣ୍ଟ ଓ ଜିଲାବୋର୍ଡ଼ ମେମ୍ବରରୂପେ କିଛି କାଳ କାର୍ଯ୍ୟ କରିଥିଲେ । ବାଙ୍କୀର ଡିପୋଟିମାନେ ରାଜବଂଶୀୟ ବୋଲି ଏହାଙ୍କୁ ବିଶେଷ ଖାତିର କରନ୍ତି । ସ୍ଥାନୀୟ ଉଚ୍ଚ ଇଂରାଜୀ ବିଦ୍ୟାଳୟର ସମ୍ପାଦକରୂପେ ଏ ମହାଶୟଙ୍କ କାର୍ଯ୍ୟ ପ୍ରଶଂସନୀୟ । ଦେବ−ବ୍ରାହ୍ମଣ−ଭକ୍ତି ମଧ୍ୟ ଅତୁଳନୀୟ । ଏହାଙ୍କ ଯତ୍ନରେ ରଗଡ଼ି ମହିମାମଣିଙ୍କ ମନ୍ଦିର ବର୍ତ୍ତମାନ ଉତ୍ତମରୂପେ ଚାଳିତ ହେଉଅଛି ।

 

ରାୟସାହେବ ଶ୍ରୀଯୁକ୍ତ ଖଗେନ୍ଦ୍ରଚନ୍ଦ୍ର ମହାପାତ୍ର ବି. ଏ .

 

ଏ ମହାଶୟଙ୍କର ଜନ୍ମଭୂମି ଚର୍ଚ୍ଚିକା ଗ୍ରାମରେ । ଏହାଙ୍କ ପିତା କରୁଣାକର ମହାପାତ୍ର ପ୍ରକୃତରେ କରୁଣା କର ଥିଲେ । ଖଗେନ୍ଦ୍ରଚନ୍ଦ୍ର ବର୍ତ୍ତମାନ ବାଙ୍କୀରେ ଯେ ପ୍ରତିଷ୍ଠା ଲାଭ କରି ସୁଖ୍ୟାତି ଅର୍ଜନ କରିଅଛନ୍ତି, ତାହା ସେ ବଂଶ କାହିଁକି ବାଙ୍କୀ ପକ୍ଷରେ ଗୌରବାବହ । ସେ ସ୍ଥାନୀୟ ଇୟୁନିୟନ ବୋର୍ଡ଼ର ପ୍ରେସିଡ଼େଣ୍ଟ, ଅନରାରୀ ମାଜିଷ୍ଟ୍ରେଟ, ବ୍ୟାଙ୍କର ଅନରାରୀ ସେକ୍ରେଟରୀ ଏବଂ ଜିଲାବୋର୍ଡ଼ର ମେମ୍ବର ଥାଇ ଏକଧାରାରେ ଏ ସମସ୍ତ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିଥିବାରୁ ଗଭର୍ଣ୍ଣମେଣ୍ଟଙ୍କଠାରୁ ରାୟସାହେବ ଉପାଧି ପ୍ରାପ୍ତ ହୋଇଅଛନ୍ତି । ନାନାଦି କାର୍ଯ୍ୟରେ ଗଭର୍ଣ୍ଣମେଣ୍ଟ ଏ ମହାଶୟଙ୍କଠାରୁ ମତ ଲୋଡ଼ିଥାନ୍ତି ।

 

ବିଶେଷତଃ ବାବୁ ମହୋଦୟଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଯତ୍ନବଳରୁ ବାଧ୍ୟତାମୂଳକ ଶିକ୍ଷା ବାଙ୍କୀରେ ସ୍ଥାୟୀ ହେବାଦ୍ଵାରା ନିରକ୍ଷର ପ୍ରଜାମାନଙ୍କର ପ୍ରଭୂତ ଉପକାର ସାଧିତ ହେଉଅଛି ।

 

ବାଙ୍କୀର ସ୍ୱାୟତ୍ତଶାସନ ବିଭାଗ

 

ବାଙ୍କୀରେ ଏହି ବିଭାଗ ତରଫରୁ ୩ଟି ଅନୁଷ୍ଠାନ ହୋଇଅଛି । ଯଥା :–ବାଙ୍କୀ−ଡମପଡ଼ା ସହଯୋଗ ବ୍ୟାଙ୍କ, ହାଇସ୍କୁଲ ଓ ଇୟୁନିୟନ ବୋର୍ଡ଼ ।

 

ବ୍ୟାଙ୍କ :–

 

ଏହି ଅନୁଷ୍ଠାନଟି ଦରିଦ୍ର ପ୍ରଜାମାନଙ୍କୁ ଅଳ୍ପ ସୁଧରେ ଋଣ ଦେବା−ଦ୍ଵାରା ବିଶେଷ ସୁବିଧା ହୋଇଅଛି । ସଦର ଇୟୁନିୟନ ଅଧୀନରେ ବର୍ତ୍ତମାନ ୧୪୪ ଗୋଟି ଗ୍ରାମ୍ୟ ସମିତ ଚାଳିତ ହେଉଅଛି ।

 

ହାଇସ୍କୁଲ :–

 

ଏ ସ୍କୁଲଟି ସ୍ଥାପିତ ହେବାରୁ ବାଙ୍କୀବାସୀ ତଥା ନିକଟବର୍ତ୍ତୀ କେତେକ ଗଡ଼ଜାତରୁ ବହୁ ଛାତ୍ର ଆସି ଅଧ୍ୟୟନ କରୁଅଛନ୍ତି । ଏହା ବାଙ୍କୀବାସୀଙ୍କ ପକ୍ଷେ କମ୍ ମଙ୍ଗଳକର କଥା ନୁହେ ।

 

ଇୟୁନିୟନ ବୋର୍ଡ଼ :–

 

ଏହି ବୋର୍ଡ଼ ଅଧୀନରେ କେତେଗୁଡ଼ିଏ ପ୍ରାଇମେରୀ ସ୍କୁଲ ଚଳୁଅଛି । ଏହା ନିରକ୍ଷର ପ୍ରଜାମାନଙ୍କ ପକ୍ଷେ ଅତି ମଙ୍ଗଳଜନକ । ଗ୍ରାମ୍ୟ ରାସ୍ତା ନିର୍ମାଣ, କୂପଖନନ ଓ ସ୍ୱାସ୍ଥ୍ୟରକ୍ଷା ବିଷୟରେ ନାନାପ୍ରକାର ସୁବିଧା କରିବା ବୋର୍ଡ଼ର ମୁଖ୍ୟ ଉଦ୍ଦେଶ୍ୟ ।

Image